ବାଲେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁର ସ୍ଥିତ ହେରିଟେଜ କଲ୍ୟାଣମଣ୍ଡପ ପରିସରରେ ଶୁକ୍ରବାର ଅପରାହ୍ନ ୪ଟା ବେଳେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବାର ସୂଚନା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ।
ଖବରଦାତା ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା । କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ । ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଗଭଳି ଭେଟି ହେଉନାହିଁ । ଦଳରେ ବାବୁଗିରିକୁ ପ୍ରାଧାନ୍ୟ ଦିଆଯାଉଛି । କ୍ଷମତା ନିଶାରେ ଭାଜପା ଭଳି ଏକ ସାମ୍ପ୍ରଦାୟିକତାରେ ବିଶ୍ୱାସ କରୁଥିବା ଦଳ ସହ ବିଜେଡି ପୁଣିଥରେ ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିବା ତାଙ୍କୁ ବ୍ୟଥିତ କରିଛି । ଏବେ ଭାଜପାର ଟିମ୍-ବି ହୋଇଯାଇଛି ବିଜେଡି । ଏହି ସବୁ କାରଣ ପାଇଁ ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଯେ, ଶ୍ରୀ ଜେନା ଦୀର୍ଘ ବର୍ଷ ଧରି ଦଳରେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ୨୦୦୯ରେ ରେମୁଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
