ଭାଜପା ବିଧାୟକ ସୁକାନ୍ତ ନାୟକ ପାଳିଲେ ବିଜୁ ଜୟନ୍ତୀ
ନୀଳଗିରି : ନୀର୍ବାଚନ ଆଉ କିଛି ଦିନ ଥିବା ବେଳେ ଏଇ କିଛି ଦିନ ହେବ ନୀଳଗିରି ଭାଜପା ବିଧାୟକ ଇଂ. ସୁକାନ୍ତ ନାୟକ ବିଜେଡି ଯୋଗୋ ଦେବାର ସବୁଠି ଚର୍ଚ୍ଚା ଲାଗିରହିଛି । ଏହି ବିଷୟକୁ ଅଧିକ ଖୁରାଗ ଯୋଗାଇଛି ବିଜେପିରୁ ବିଧାୟକ ହୋଇଥିବା ସୁକାନ୍ତ ନାୟକ ଧୁମ୍ଧାମ୍ରେ ବିଜୁ ଜୟନ୍ତୀ ପାଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସୂଚନା ଯେ, ମଙ୍ଗଳବାର ରାଜ ବରହମପୁର ମିନି ଷ୍ଟାନିୟମ୍ ଠାରେ ବରହମପୁର ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବିରାଟ ସଭାର ଆୟୋଜନ କରାଯାଇ ପ୍ରଥମେ ବିଜୁବାବୁଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ସର୍ବାଗ୍ରେ ବିଧାୟକ ଇଂ. ନାୟକ ବିଜୁବାବୁଙ୍କ ଜୀବନାଦର୍ଶ ଏବଂ ବିଶେଷ କରି ଓଡ଼ିଶାକୁ ସଶକ୍ତ କରି ନୂତନ ଓଡ଼ିଶା ଗଠନ କରିବାର ସ୍ୱପ୍ନ ଦେଖିଥିଲେ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏନେଇ ବିଧାୟକ ଇଂ. ନାୟକଙ୍କୁ ପଚାରିବାରୁ ବିଜୁବାବୁ କେବଳ ବିଜେଡିର ସମ୍ପତ୍ତି କହିବା ଭୁଲ, ସେ ଜଣେ ବିଶ୍ୱସ୍ତରୀୟ ନେତା । ମୁଁ ଛାତ୍ର ଜୀବନରୁ ବିଜୁବାବୁଙ୍କ ନୀତି ଆଦର୍ଶରେ ଗଢ଼ା ଓ ଏଥିରେ ରାଜନୀତିରେ କୌଣସି ଗନ୍ଧ ନାହିଁ ବୋଲି ମତପ୍ରକାଷ କରିଥିଲେ । ଏହି ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ତଥା କବି ଶରତ ଚନ୍ଦ୍ର ମହାପାତ୍ର ବିଜୁବାବୁଙ୍କ ବଳିଷ୍ଠ ନେତୃତ୍ୱ ଉପରେ ଆଲୋକପାତ କରି ଆଜିର ଯୁବସମାଜ ତାଙ୍କ ପଥଗାମୀ ହେଲେ ଉତ୍ତମ ସମାଜ ଗଠନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ସତ୍ୟଭାମା ମୁଦୁଲି ଉପସ୍ଥିତ ଜନତାଙ୍କୁ ଆଜି ଝଡ଼ର ଇଗଲ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପାଇଁ ଶାସନ ବ୍ୟବସ୍ଥାର ସଂସ୍କାର ଆଣି ଓଡ଼ିଶାରେ ପଞ୍ଚାୟତିରାଜ ଭଳି ବ୍ୟବସ୍ଥା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରିଥିବା କହିଥିଲେ । ସମାଜସେବୀ ଅକ୍ଷୟ କୁମାର ବେହେରା, ଉପେନ୍ଦ୍ର ଦାସ, ଗଙ୍ଗାଧର ମିଶ୍ର, ଭାଗବତ ଖିଲାର, ରାଜୀବ ଦାସବାବୁ, ବିନୋଦ ମହାନ୍ତି, ରାମକୃଷ୍ଣ ମହାପାତ୍ର, ଶୁଭାଶିଷ ଆଚାର୍ଯ୍ୟ, ପିଠାହତା ସମିତି ସଭ୍ୟ ପ୍ରଭାକର ବୁଗୁଡାଇ, ଜାମୁଡ଼ିହା ସରପଞ୍ଚ ଚାନ୍ଦମଣି ମୁର୍ମୁ, ଜଡ଼ିଦା ସରପଞ୍ଚ ରଞ୍ଜିତା ଦଣ୍ଡପାଟ, ମଛୁଆ ସମିତି ସଭ୍ୟ ରମାକାନ୍ତ ମହାଳିକ, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ସମିତି ସଭ୍ୟା ବିନତା ମଢେଇ, ସତ୍ୟବାନ ବାରିକ, ଜୟନ୍ତ ପୁଟି, ରାହାସ ମଢ଼େଇ, ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
