ଔପଦାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୬୪୧ ପଞ୍ଜିକୃତ
ଔପଦା : ଔପଦା ନୋଡ଼ାଲ ହାଇସ୍କୁଲ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୬୪୧ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକୃତ ହୋଇଛି । ସରକାର ଭିନ୍ନକ୍ଷମମାନଙ୍କୁ ଉଚିତ୍ ସେବା ଯୋଗାଇଦେବା ପାଇଁ ବ୍ଲକସ୍ତରୀୟ ଶିବିରର ଆୟୋଜନ କରୁଥିବା ବେଳେ ପରିଚାଳନାରେ କେତେକ ବ୍ୟତିକ୍ରମ ହୋଇଥିବା ଦେଖାଯାଇଛି । ପ୍ରାୟ ୬୦-୭୦ କିମି ଦୂରତାରୁ ଆସିଥିବା ସମ୍ପୂର୍ଣ୍ଣ ଅଚଳ ଭିନ୍ନକ୍ଷମ ମାନଙ୍କୁ ସମ୍ପର୍କୀୟ ମାନେ ଶିବିର ଭିତରକୁ ଟେକିଟେକି ନେଉଥିବାର ଦେଖାଯାଇଛି ।
ଶିବିରରେ ଅସ୍ତିଶଲ୍ୟ ବିଭାଗରେ ୨୭୭ ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ମାନସିକ ଅନଗ୍ରସରରେ ୧୦୨ ଜଣ ନାସା, ଗଳାରେ ୧୫୫ ଜଣ ଦୃଷ୍ଟି ବାଧିତରେ ୧୦୭ ଜଣ ନାମ ପଞ୍ଜିକୃତଙ୍କ ମଧ୍ୟରୁ କେତେକଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା । ଶିବିରକୁ ଆସିଥିବା କେତେକ ଭିନ୍ନକ୍ଷମ ସରକାରୀ ସୁବିଧାରୁ ବଞ୍ôଚତ ରହୁଥିବାରୁ ଅସନ୍ତୋଷ ପ୍ରକାଶ କରୁଥିବା ଜଣାଯାଇଛି । ଶିବିରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର, ବିଡିଓ ଅଭିଷେକ ଦାଶ, ଉପାଧ୍ୟକ୍ଷ ପ୍ରଭାକର ସାହୁ, ଜିଲା ପରିଷଦ ସଭ୍ୟା ମୁନି ସିଂ, ନୀଳଗିରି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମତା ନାୟକ, ତଳକିଆ ପଞ୍ଚାୟତ ସରପଞ୍ଚ ଦିପ୍ତୀରାଣୀ ନାୟକ ଶିବିରକୁ ବୁଲି ଦେଖିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଅମ୍ବିକାମଣୀ ପୃଷ୍ଟିଙ୍କ ସମେତ ବ୍ଲକ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ, ଅଙ୍ଗନବାଡ଼ି ଶିକ୍ଷୟିତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ଓ କିଛି ହାଇସ୍କୁଲ ପିଲା ମଧ୍ୟ ସହଯୋଗ କରିଥିଲେ ।
