ଏଫଏମୟୁ ଓ ଆଇଏମ୍ଡି ମଧ୍ୟରେ ଏମ୍ଓୟୁ, ପାଣିପାଗ ସମ୍ବନ୍ଧୀୟ ଗବେଷଣା ଲକ୍ଷ୍ୟ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ) ଓ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ନୂଆଦିଲ୍ଲୀ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ଏଥିରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ପାଣିପାଗ ସମ୍ବନ୍ଧୀୟ ଗବେଷଣା ଦିଗରେ ଏକ ବୃହତ୍ତର କ୍ଷେତ୍ରରେ କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଏହି ବିଶ୍ୱବିଦ୍ୟାଳୟ ପ୍ରତିଶୃତିବଦ୍ଧ ରହିବ ବୋଲି ମତ ଦେଇଥିଲେ । ଆଇଏମ୍ଡିର ନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ପରିପ୍ରେକ୍ଷୀରେ ଏମ୍ଓୟୁ ସ୍ୱାକ୍ଷରିତ ହେବାର ସାମାଜିକ – ଅର୍ଥନୈତିକ ସମୁନ୍ନତି ସମ୍ପର୍କୀୟ ମତବ୍ୟକ୍ତ କରିବା ସହିତ ‘ଚରମସ୍ତରୀୟ ପାଣିପାଗର ପୂର୍ବ – ଚେତାବନୀ ଏବଂ ତ୍ୱରିତ ପଦକ୍ଷେପ’ ଶୀର୍ଷକ ଏକ ଭିତ୍ତିପ୍ରବନ୍ଧ ଜରିଆରେ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ଓ ବିପର୍ଯ୍ୟୟ-ପ୍ରଶମନ ବିଷୟରେ ଚର୍ଚ୍ଚା କରିଥିଲେ ।
ସଂଯୋଜକ ଡ. ନିହାର ରଞ୍ଜନ ରାଉତ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ବିବେକନନ୍ଦ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ଏମ୍ଓୟୁ ସ୍ୱାକ୍ଷରିତ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇ ପାଣିପାଗ ସମ୍ବନ୍ଧୀୟ ଅଧ୍ୟୟନ ଓ ଆକଳନ କ୍ଷେତ୍ରରେ ପ୍ରକୃତ ଗବେଷଣାର କ୍ଷେତ୍ର ପ୍ରସ୍ତୁତ କରିବାରେ ଏହି ପଦକ୍ଷେପ ବିଶେଷ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । କୁଳସଚିବ ଶ୍ରୀମତୀ କୁକୁମୀନା ଦାସ ଉଭୟ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଆଇଏମ୍ଡି ତଥା ଭାରତୀୟ ପାଣିପାଗ ବିଭାଗ ମଧ୍ୟରେ ଏହି ବୁଝାମଣା ଜ୍ଞାପନପତ୍ର ସ୍ୱାକ୍ଷରିତ ହେବା ଫଳରେ ଗବେଷଣା ନିମିତ୍ତ ବହୁବିଧ ଦିଗ ଉନ୍ମୋଚିତ ହୋଇପାରିବ ବୋଲି ମତ ଦେଇଥିଲେ । ଆଇଟିଆର୍ ଭୁବନେଶ୍ୱର ଓ ବାଲେଶ୍ୱରର ବୈଜ୍ଞାନିକବୃନ୍ଦ ଏଥିରେ ଉପସ୍ଥିତ ରହିଥିଲେ । ଡ. ସନ୍ତୋଷ ଅଗ୍ରୱାଲା ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ । ଶେଷରେ ଡ. ମିହିର ତନୟ ଦାସ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ।
