ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବଜ୍ରାସନ, ଜାଣନ୍ତୁ ପ୍ରକ୍ରିୟା
ଆଜିକାଲି ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା ଜରୁରୀ ହୋଇପଡିଛି। ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। ଏହା ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଖୁବ ସହାୟକ ହୋଇଥାଏ। ଅନେକ ଯୋଗାସନ ମଧ୍ୟରେ ବଜ୍ରାସନ ଏମିତି ଏକ ଆସନ ଯାହାର ଅଭ୍ୟାସରେ ଅନେକ ଫଳ ମିଳିଥାଏ। ଏହି ଆସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା….
ବଜ୍ରାସନ ଶରୀରକୁ ଶକ୍ତି ଯୋଗାଇବା ସହ ମନକୁ ଶାନ୍ତ କରିଥାଏ। ଶାରୀରିକ ଏବଂ ମାନସିକ ଶାନ୍ତି ପାଇଁ ଏହି ଆସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ଯେକୌଣସି ବୟସର ଲୋକମାନେ ସହଜରେ ଏହି ଆସନ କରିପାରିବେ। ଏହା ହଜମ ଅଙ୍ଗକୁ ମଜବୁତ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଆସନ୍ତୁ ଏହି ଆସନର ଲାଭ ବିଷୟରେ ଜାଣିନେବା।
ହଜମ ପ୍ରକ୍ରିୟାକୁ ଉନ୍ନତ କରେ :
ବଜ୍ରାସନ ଅଭ୍ୟାସ ହଜମ ପ୍ରକ୍ରିୟାକୁ ଉନ୍ନତ କରେ। ଏହି ଆସନ ଆମର ଗୋଡ ଏବଂ ଜଙ୍ଘ ସହିତ ପେଟର ରକ୍ତ ପ୍ରବାହକୁ ପ୍ରୋତ୍ସାହିତ କରିବାରେ ସହାୟକ ହୁଏ। ହଜମକାରୀ ଅଙ୍ଗକୁ ଭଲ ଭାବରେ ମସାଜ୍ କରି ଏବଂ ସେମାନଙ୍କର ସକ୍ରିୟତାକୁ ବଢାଇଦିଏ। ଏହି ଅଭ୍ୟାସ ଅନ୍ତନଳୀ ଗତିକୁ ହ୍ରାସ କରିବା ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ଅନ୍ୟତମ ଉପକାରୀ ଯୋଗାସନ।
ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ :
ବଜ୍ରାସନ ତଳ ପିଠିର ମାଂସପେଶୀକୁ ଶକ୍ତିଶାଳୀ କରେ। ଫଳରେ ଏହି ଅଙ୍ଗଗୁଡ଼ିକର ଯନ୍ତ୍ରଣା କମିଯାଏ। ଏହା ସାଇଟିକା ଦ୍ୱାରା ହେଉଥିବା ଯନ୍ତ୍ରଣାରୁ ମୁକ୍ତି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେଉଁ ଲୋକମାନେ ଦିନର ଅଧିକାଂଶ ସମୟ ଅଫିସରେ ବସିଥା’ନ୍ତି, ସେମାନଙ୍କ ପିଠି ଯନ୍ତ୍ରଣା ହେବାର ଆଶଙ୍କା ଅଧିକ ଥାଏ। ତେବେ ସେହି ବ୍ୟକ୍ତିମାନେ ଦୈନିକ ଏହି ଆସନ ଅଭ୍ୟାସ କରିବା ଜରୁରୀ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ :
ମଧୁମେହ ରୋଗୀଙ୍କ ପାଇଁ ବଜ୍ରାସନ ଅତ୍ୟନ୍ତ ଉପକାରୀ। ଏହି ଆସନ ଅଗ୍ନାଶୟ ଏବଂ ଯକୃତ ପରି ପେଟର ଅଙ୍ଗକୁ ସକ୍ରିୟ କରି ଇନ୍ସୁଲିନ୍ ଉତ୍ପାଦନ କରିବାର କ୍ଷମତାକୁ ବଢେଇଦିଏ। ଏହା ଗ୍ଲୁକୋଜ ସ୍ତରରକୁ ମଧ୍ୟ ସନ୍ତୁଳିତ କରେ।
କିପରି କରିବେ :
ସର୍ବପ୍ରଥମେ, ଆଣ୍ଠୁମାଡି ବସନ୍ତୁ
ଉଭୟ ପାଦର ଆଙ୍ଗୁଠିକୁ ଏକତ୍ର କରନ୍ତୁ ଏବଂ ଗୋଡକୁ ଅଲଗା ରଖନ୍ତୁ
ପିଚାକୁ ଗୋଡର ଗୋଇଠି ଉପରେ ରଖନ୍ତୁ
ହାତକୁ ଆଣ୍ଠୁ ଉପରେ ରଖନ୍ତୁ।
ପିଠି ଏବଂ ମୁଣ୍ଡକୁ ସିଧା ରଖନ୍ତୁ
ଉଭୟ ଆଣ୍ଠୁକୁ ଏକାଠି ରଖନ୍ତୁ
ଆଖି ବନ୍ଦ କରି ସାଧାରଣ ନିଶ୍ୱାସ ନିଅନ୍ତୁ
ପାଞ୍ଚରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ବସିବାକୁ ଚେଷ୍ଟା କରନ୍ତୁ
ଏପରି କରିବା ଦ୍ୱାରା ଯଦି ଆଣ୍ଠୁରେ ଅଧିକ ଯନ୍ତ୍ରଣା ହୁଏ, ତେବେ ଶରୀର ସହିତ ଏହାକୁ ବାଧ୍ୟ କରନ୍ତୁ ନାହିଁ। ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ପରେ ଧିରେ ଧିରେ ଉଠିଯାଆନ୍ତୁ।
