ନୀଳଗିରିରେ ଭାଲୁ ଆତଙ୍କ : ଜଣେ ଶ୍ରମିକଙ୍କୁ ସାଇକେଲରୁ ଟାଣି ଆଣି ଆକ୍ରମଣ, ହସ୍ପିଟାଲରେ ଭର୍ତ୍ତି
ବାଲେଶ୍ଵର : ବାଲେଶ୍ଵର ଜିଲା ନୀଳଗିରିରେ ଭାଲୁ ଆତଙ୍କ । ସୋମବାର ରାତ୍ରରେ ଜଣେ ଯୁବକ ସାଇକେଲ ଯୋଗେ ଡିଉଟି ସାରି ଘରକୁ ଫେରିବା ବେଳେ ତାଙ୍କ ସାମ୍ନାରେ ଦୁଇଟି ଭାଲୁ ଆସିଥିଲେ । ପରେ ଭାଲୁ ଦୁଇଟି ତାଙ୍କୁ ସାଇକେଲରୁ ଟାଣି ଆଣି ଆକ୍ରମଣ କରି କ୍ଷତାକ୍ତ କରି ଦେଇଛନ୍ତି।
ସୂଚନା ଯେ, ନୀଳଗିରି ଥାନା ଅଧିନ ବାଲିଓରା ଗ୍ରାମର କରୁଣାକର ଜେନା(୫୫) ରେମୁଣା ଥାନା ସୋମନାଥପୁର ଅଞ୍ଚଳରେ ଏକ ଆଜବେଷ୍ଟ କମ୍ପାନିରେ କାମ କରନ୍ତି । ସୋମବାର ରାତିରେ ସେ କାମ ସାରି ସାଇକେଲରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୧ଟା ସମୟରେ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ନିଶ୍ଚନ୍ଦପୁର ଛକଠାରେ ଦୁଇଟି ଭାଲୁ ତାଙ୍କୁ ସାଇକେଲରୁ ଝାମ୍ପି ନେଇ କ୍ଷତ ବିକ୍ଷତ କରି ଦେଇଛନ୍ତି । ଜୀବନ ବଞ୍ଚାଇବାକୁ କରୁଣାକର ଦୀର୍ଘ ସମୟ ଭାଲୁ ସହ ସଂଗ୍ରାମ କରିଥିଲେ। ତାଙ୍କ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଅନ୍ୟ ଲୋକ ପହଞ୍ଚିବାରୁ ଭାଲୁ ଦୁଇଟି ନିକଟସ୍ଥ ଦେବଗିରି ପାହାଡ଼କୁ ଦୌଡ଼ି ଥିଲେ। ଏଥିରେ କରୁଣାକରଙ୍କ ମୁଣ୍ଡ ସମେତ ଶରୀରର ବହୁ ସ୍ଥାନ କ୍ଷତ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଭାବେ ପ୍ରଥମେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
