ଜଳକାରେ ବନ୍ୟା, ତଳିଆ ଓ ଚାଷୀକୂଳ ଆତଙ୍କିତ
ବାଲେଶ୍ୱର : ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା । ଜଳକା ନଦୀରେ ବିପଦ ସଂକେତ ଉପରେ ଜଳସ୍ତର l ବସ୍ତା ମଥାନୀ ଠାରେ ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ରହିଛି । ତେବେ ଜଳସ୍ତର ବର୍ଷା କାରଣରୁ ମଙ୍ଗଳବାର ସକାଳ ୬ଟା ସୁଧା ୬.୩୦ ମିଟର ଉପରେ ପ୍ରବାହିତ ହେଉଛି । ଧିରେଧିରେ ତଳିଆ ଅଞ୍ଚଳର ଜଳମଗ୍ନ ହେବାରେ ଲାଗିଛି ।ଚାଷୀକୂଳ ଓ ଅଞ୍ଚଳବାସୀ ସମ୍ଭାବ୍ୟ ବଡ ବନ୍ୟାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି । ଯାହାକୁ ନେଇ ତଳିଆ ଓ ଚାଷୀକୂଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଲାଗି ରହିଛି । ବର୍ଷା ଲାଗି ରହିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଂକା ଦେଖାଦେଇଛି l ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀକୁଳବାସୀ ଦିନ ବିତାଉଛନ୍ତି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧିପାଇଛି । ଜଳସ୍ତର ଅଧିକ ବୃଦ୍ଧି ପାଉଥିବାରୁ ବନ୍ୟା ଆଶଂକା ଦେଖାଦେଇଛି । ବର୍ତ୍ତମାନ ଧାନ ଗର୍ଭଧାରଣ ସମୟ ହୋଇଥିବାରୁ ବନ୍ୟାହେଲେ ଧାନ ଥୋଡରେ ପାଣି ପଶିବାର ଆଶଙ୍କା ରହିଛି l ଗତ ବନ୍ୟାରେ ବସ୍ତା ବ୍ଲକରେ ୫ ଶହ ହେକ୍ଟରରୁ ଅଧିକ ଜମିରେ ଧାନ ନଷ୍ଟ ହୋଇଥିଲା l ପୁଣି ଯଦି ବନ୍ୟା ହୁଏ ତାହାହେଲେ ଧାନ ଥୋଡରେ ପାଣି ପଶି ସମସ୍ତ ଧାନ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି l ବନ୍ୟା ହେଲେ ବସ୍ତା ବ୍ଲକର ୭ଟି ପଞ୍ଚାୟତରୁ ୫ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଧାନ ଫସଲ ନଷ୍ଟ ହେବା ସହିତ ସଦର ବ୍ଲକର ୨ଟି ପଞ୍ଚାୟତରୁ ୧ ହଜାର ହେକ୍ଟର ଧାନ ଫସଲ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
