ବାଲେଶ୍ୱର : ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ଓ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା-୨୦୨୩ ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ସମଗ୍ର ଶିକ୍ଷା ଅଭିଯାନ ବାଲେଶ୍ୱର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ଓ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ୨୦୨୩ ରବିବାର ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଉତ୍ସବରେ ଜିଲା ଶିକ୍ଷାଧିକାରିଣୀ ପ୍ରତିଭା ମଞ୍ଜରୀ ଦାସ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗଦେଇ ସାମ୍ପ୍ରତିକ ଶିକ୍ଷାନୀତିରେ ଶିଶୁ ମହୋତ୍ସବର ଗୁରୁତ୍ୱ ବେଶ ଅଧିକ । ଏହା ଛାତ୍ରୀଛାତ୍ରଙ୍କ ପ୍ରତିଭା ବିକାଶ ପାଇଁ ସୁଯୋଗ ଆଣିଦେଇଛି । ଏଥିସହିତ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତାନୁ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ନିରାକରଣ ପାଇଁ ମିଲେଟ୍ସ ଜାତୀୟ ଖାଦ୍ୟକୁ ପ୍ରୋତ୍ସାହନ ପାଇଁ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ମଧ୍ୟ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ମହୋତ୍ସବରେ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ଛାତ୍ରୀଛାତ୍ରଙ୍କ ମାନସିକ ଓ ବୌଦ୍ଧିକ ବିକାଶରେ ‘ସୁରଭି’ ଏକ ପ୍ଲାଟଫର୍ମ ହୋଇ ପାରିଛି ବୋଲି କହିଥିଲେ । ଏଥିସହିତ ଆୟୋଜିତ ହୋଇଥିବା ମିଲେଟ୍ସ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରୀଛାତ୍ରମାନେ ଭାରତର ପରମ୍ପରାଗତ ଖାଦ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଗୁଡୁଦା ପାଟଣା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ବାଲେଶ୍ୱର ଜିଲାର ୧୨ ଗୋଟି ବ୍ଲକରୁ ୪୨୦ ଜଣ ଛାତ୍ରୀଛାତ୍ର ଏହି ଜିଲାସ୍ତରୀୟ ଉତ୍ସବରେ ଯୋଗ ଦେଇଥିଲେ । ବିତର୍କ, ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସଙ୍ଗୀତ, କୁଇଜ୍ ପ୍ରଭୃତି ୨୮ ଗୋଟି ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ୩୫ ଜଣ ଛାତ୍ରୀଛାତ୍ର ରାଜ୍ୟସ୍ତରୀୟ ଉତ୍ସବ ପାଇଁ ମନୋନୀତ ହୋଇଥିଲେ । ଶେଷରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଧନ୍ୟବାଦ ଦେଇଥିଲେ ।
