ଆଖୁଆପଦା ବ୍ୟାରେଜ ନିର୍ମାଣ ଦାବି, ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବଦ୍ରୀ
ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଆଖୁଆପଦା ଠାରେ ବୈତରଣୀ ନଦୀ ବ୍ୟାରେଜ ନିର୍ମାଣ ଦାବିରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ । ଉଭୟ ବନ୍ୟା ନିୟନ୍ତ୍ରଣ ଓ ବର୍ଷତମାମ ଜଳସେଚନ ସୁବିଧା ପାଇଁ ସର୍ବାଧିକ ଆବଶ୍ୟକତା ପୂରଣ କରୁଥିବା ଆଖୁଆପଦା ବ୍ୟାରେଜ ନିର୍ମାଣକୁ ଅଣଦେଖା କରାଯାଉଛି । ଆଖୁଆପଦା ଠାରେ ବ୍ରିଟିଶ ନିର୍ମିତ ଆନିକଟ ରହିଛି । ଉପଯୁକ୍ତ ଭିତିଭୂମି ଥିବା ସତ୍ୱେ ରାଜ୍ୟ ସରକାର ବ୍ୟାରେଜ ନିର୍ମାଣକୁ ଏଡାଇଯାଉଛନ୍ତି । କୃଷି ଓ କୃଷକର ଉନ୍ନତି ସହ ବନ୍ୟାଦାଉରୁ ଧନଜୀବନର ସୁରକ୍ଷା କେବଳ ଆଖୁଆପଦା ବ୍ୟାରେଜ ଦ୍ୱାରା ହୋଇପାରିବ । ଆଖୁଆପଦା ଆନିକଟର ଜଳସେଚନ ସୁବିଧା ଉଭୟ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର ଓ ଭଦ୍ରକ ବ୍ଲକର କୃଷକ ପାଉଥିବା ବେଳେ ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଓ ବିଞ୍ଛାରପୁର ବ୍ଲକର କୃଷକ ପାଉଛନ୍ତି । ଏସବୁ ଜାଣି ସୁଦ୍ଧା ରାଜ୍ୟସରକାର ଆନିକଟକୁ ଉନ୍ନିତ କରି ବ୍ୟାରେଜ ନିର୍ମାଣ କରୁନାହାନ୍ତି । ଭାରତୀୟ ଜନତା ପାର୍ଟି ଏଥିପାଇଁ ଜନସଚେତନତା ସୃଷ୍ଟିସହ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରଖିଛି । ଶ୍ରୀ ଧଳଙ୍କ ନେତୃତ୍ୱରେ ଦଳ ପକ୍ଷରୁ ପ୍ରକାଶ ମହାପାତ୍ର, ନରନାରାୟଣ ପରିଡା, ବିକାଶ ନାୟକ, ରାଜେଶ ବିଶ୍ୱାଳ, ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ସହ ବ୍ୟାରେଜ ନିର୍ମାଣ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ରାଜ୍ୟପାଳ ଶ୍ରୀ ଧଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
