ବାବା ଆଖଣ୍ଡଳମଣିଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ସମାପନ
- ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଆଖଣ୍ଡଳମଣିଙ୍କ ଶିବବିବାହ
- ଆସନ୍ତାକାଲି ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି
ଭଦ୍ରକ : ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ଶିବବିବାହ। ଏଥିପାଇଁ ପୂର୍ବରୁ ଲଗ୍ନଥାଳ ଉଠାଣ ନୀତି ସରିଥିବା ବେଳେ ରବିବାର ଦେବନିମନ୍ତ୍ରଣ କାର୍ଯ୍ୟ ସମାପନ ହୋଇଛି। ସୋମବାର ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପ୍ରଯ୍ଯାୟରେ ପହଞ୍ଚିଛି। ମଙ୍ଗଳବାର ଦେବଦମ୍ପତିଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ମଧ୍ୟରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଉଭୟ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ଏପରିକି ବରଧରାଗମନ ଓ ବରାନୁଗମନରେ କେବଳ ମାଙ୍ଗଳିକ ବାଦ୍ୟ ଓ ଘଣ୍ଟକୁ ବାଦ ଦେଲେ ବାଜା, ବାଣ, ରୋଷଣୀ ପରିବେଷଣ ଉପରେ ରୋକ ଲଗାଇଛି ପ୍ରଶାସନ।
ସୂଚନା ଯେ, ଗତ ବୁଧବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏପରିକି ବରଯାତ୍ରୀ ଓ ଖାଦ୍ୟ ଉପରେ କଟକଣା ଜାରି କରିଛି ଜିଲାପ୍ରଶାସନ। ବିବାହ ଉତ୍ସବରେ ସାମିଲି ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।
