ଏସେଲସ୍ ପବ୍ଲିକ ସ୍କୁଲ ପକ୍ଷରୁ ଉଡାନ ଓ ଲିଟେରାରୀ କ୍ଲବ ଉଦଘାଟିତ
କଟକ : କଟକ ସେକ୍ଟର-୯ସ୍ଥିତ ଏସେଲସ୍ ପବ୍ଲିକ ସ୍କୁଲ ଓଡ଼ିଶାର ପ୍ରଥମ ବିଦ୍ୟାଳୟ ଭାବେ ପିଲାମାନଙ୍କ ପାଇଁ ଉଡାନ ଓ ପ୍ରଦର୍ଶ ଶୀର୍ଷକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶିକା ଡକ୍ଟର ମେଘନା ମିଶ୍ରଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବେ ରୁହିନା ପ୍ରିୟଦର୍ଶିନୀ ଯୋଗ ଦେଇ ସକରାତ୍ମକ ଓ ମନସ୍ତାତ୍ତ୍ୱିକ ପ୍ରଶିକ୍ଷଣ ଉପରେ ଆଲୋକପାତ କରିଥିଲେ । ଶହେ ଜଣ ଅଭିଭାବକ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପିଲାମାନେ ନିଜ ଦକ୍ଷତା ଓ ନିଜ ଭିତରର ଶ୍ରେଷ୍ଠତାକୁ ପ୍ରଦର୍ଶନ କରିବା ପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶିକା ଶିକ୍ଷାବିତ ଡକ୍ଟର ମେଘନା ମିଶ୍ର ମତବ୍ୟକ୍ତ କରିଥିଲେ । ସେହିପରି ବିଦ୍ୟାଳୟ ପକ୍ଷରୁ ଲିଟେରାରୀ କ୍ଲବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟ ସମୂହର ନିର୍ଦ୍ଦେଶିକା ଡକ୍ଟର ମେଘନା ମିଶ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ତିନିଶହ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ପିଲାମାନଙ୍କର ଅନ୍ତର୍ନିହିତ ସୃଜନଶୀଳ ପ୍ରତିଭାର ଉନ୍ମୋଚନ କରିବା ଏହି କାର୍ଯ୍ୟକ୍ରମର ମୂଳ ତାତ୍ପର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିବା ସହ ଏହି କ୍ଲବ ବିପୁଳ ସଫଳତା ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
