ଲକ୍ଷାଧିକ ଟଙ୍କା ର ବାଣ ଜବତ: ଜଣେ ଗିରଫ
କଟକ : କଟକ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ କିସମର ବାଣ ଜବତ କରିଛି । ଆଗକୁ ଦୀପାବଳି ଆସୁଥିବାରୁ ଶବ୍ଦ ପ୍ରଦୂଷଣ ରୋକିବା ଏବଂ ଜନଜୀବନକୁ ରକ୍ଷା କରିବା ଲକ୍ଷ୍ୟରେ କଟକ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ଥାନା ଅଂଚଳରେ ବାଣ ବ୍ୟବସାୟୀଙ୍କ ବିରୋଧରେ ଚଢଉ ଜାରି ରହିଛି । ଏହି କ୍ରମରେ କଟକ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଉଚ୍ଚ ଶବ୍ଦ ଓ ଧୂଆଁ ଜାତ କରୁଥିବା ବିଭିନ୍ନ ପ୍ରକାରର ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ସଦର ଥାନା ଅଂଚଳର ସାଇଁସୋ ଦାସ ସାହିର ସୁବାସ ଚନ୍ଦ୍ର ସାହୁ(୫୦) । ପୋଲିସ ଟିମ ତାର ଘରେ ଚଢଉ କରି ୨୦୦ ଟି ଷ୍ଟାର ବୋମା, ୨୦୦ଟି ଉଚ୍ଚ ଶବ୍ଦ ଧ୍ୱନି କରୁଥିବା ବୋମା, ୫୦ ଟି ଚେଙ୍ଗ, ୨ଟି ପ୍ଲାଷ୍ଟିକ ବାଲଟିରେ ଥିବା ୨୦ କିଲୋ ନାନା ରଙ୍ଗ ଜାତକାରୀ ବିସ୍ଫୋଟକ ଦ୍ରବ୍ୟ, ଏକ ପ୍ଲାଷ୍ଟିକ ଜାରରେ ଥିବା ୧ କିଲୋ ବାରୁଦ(ରଂଜକ), ୧୦୦ ଟି ପେପର ପାଇପ୍ ଓ ୧୨୦ ଟି ପ୍ଲାଷ୍ଟିକ ବଲ୍, ଧପ୍ ଧପି ତିଆରି ପାଇଁ ଉଦ୍ଦିଷ୍ଟ ୧୦୦୦ଟି ବାଉଁଶ କାଠି ଓ ୧୦୦୦ଟି ପେପର ପାଇପ୍ ଓ ୫ କିଲୋ ସୁତୁଲି ଆଦି ତା ପାଖରୁ ଜବତ କରାଯାଇଛି । ଅଭିଯୁକ୍ତ ବିରୋଧରେ କଟକ ସଦର ଥାନାରେ ୯୬/୨୦୦୫ ଓ ୧୦୮/୨୦୧୭ ନମ୍ବର ମାମଲା ପୂର୍ବରୁ ଥିବାର ପୋଲିସ ସୂତ୍ରରୁ ଜଣାପଡିଛି । ଥାନା ଏସଆଇ ବିକ୍ରମ ବେହେରା ଏହି ମାମଲାର ତଦନ୍ତକାରୀ ଅଫିସର ଥିବା ବେଳେ ଅଭିଯୁକ୍ତ ସୁବାସ ଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରାଯାଇଛି ।
