ରାସ୍ତା ଖରାପ ଯୋଗୁଁ ଖଟିଆରେ ବୁହା ହେଲେ ରୋଗୀ, ବୃଦ୍ଧ ମୃତ
ନବରଙ୍ଗପୁର : ଭାଲୁ ଆକ୍ରମଣରେ ବୃଦ୍ଧ ମୃତ। ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଏକ ଭାଲୁ ସାମ୍ନାରେ ଆସିଯାଇଥିଲା। ଫଳରେ ଭାଲୁଟି ବୃଦ୍ଧ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏନେଇ ବୃଦ୍ଧ ଜଣଙ୍କ ଜୋରରେ ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ତାଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଭାଲୁଟି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା।
ସୂଚନା ଯେ, ନବରଙ୍ଗପୁର ଜିଲା ଝରିଗାଁ ବ୍ଳକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମର ବୃଦ୍ଧ ବନସିଂ ଗୌଡ଼ (୬୦) ଗାଁ ଠାରୁ ଅଧା କିଲୋମିଟର ଦୂର ଜଙ୍ଗଲକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଏକ ଭାଲୁ ସହ ସେ ସାମ୍ନାସାମ୍ନି ହୋଇଥିଲା । ଭାଲୁ ଆକ୍ରମଣରେ ବନସିଂଙ୍କର ମୁଣ୍ଡରେ ପ୍ରବଳ ଆଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ଜଙ୍ଗଲରୁ ଘରକୁ ଆଣିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଟିପାଗୁଡା ଗ୍ରାମର ରାସ୍ତା ଖରାପ ଥିବା ଯୋଗୁଁ ଆମ୍ବୁଲାନ୍ସ ବନସିଂ ଘରୁ ୨ ଶହ ମିଟର ଦୂରରେ ରହିଯାଇଥିଲା। ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆ ଯୋଗେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ପରିବାର ଲୋକ ଜଣାଇଥିଲେ। ସେଠାରେ ଡାକ୍ତର ବନସିଂଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ତରଫରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
