ପିଲାଙ୍କ ସୁରକ୍ଷା ଓ ସଚେତନତା ନେଇ ହେବ ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ସଚେତନତା ଓ ସୁରକ୍ଷା ନେଇ ଅଭିଯାନ ହେବ । ସ୍କୁଲ କୋଭିଡ ସଚେତନତା ରଥ ବୁଲିବ ବୋଲଶି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଗତ ୧ ତାରିଖରୁ ୪୦ ଦିନିଆ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆସନ୍ତା ୧୯ ତାରିଖରୁ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଭ୍ୟାନର ଶୁଭାରମ୍ଭ ହେବ । ଯାହା ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲିବୁଲି ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତା ଦେବ । ଏହାସହ ରାଜଧାନୀରେ ରାଜ୍ୟସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭାର ଆୟୋଜନ କରାଯିବ । ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବା ସହ ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ ।
ସେ କହିଛନ୍ତି ଯେ ସ୍କୁଲ ଖୋଲିବା ଆବଶ୍ୟକ । ପ୍ରଥମରୁ ପଂଚମ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗକୁ ସୁପାରିସ କରିବି ବୋଲି କହିଛନ୍ତି ।
ପ୍ରାଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ, ତେଣୁ ପ୍ରଥମଠାରୁ ପଂଚମ ଶ୍ରେଣୀ ଖୋଲିଲେ କୌଣସି ଅସୁବିଧା ହେବ ନାହିଁ । ତା’ଛଡ଼ା ଶିଶୁଙ୍କ ପାଇଁ ଟିକା ମଧ୍ୟ ଖୁବ ଶୀଘ୍ର ଆସିବ ।
