ପୁଣି ବିବାଦରେ ଗୁଣ୍ଡିଚା ମନ୍ଦିର ନିକଟ ପେଟ୍ରୋଲ ପମ୍ପ
ପୁରୀ : ଜନଗହଳିପୂର୍ଣ ଗୁଣ୍ଡିଚା ମନ୍ଦିର ଓ ବସଷ୍ଟାଣ୍ଡ ନିକଟରେ କଛି ମାସ ଧରି ଖୋଲାଯାଇଥିବା ପେଟ୍ରୋଲ ପମ୍ପ ବିବାଦୀୟ ହୋଇପଡ଼ିଥିବା ବେଳେ ଆଜି ପ୍ରେଟୋଲ ପମ୍ପ ରହିବା ଠକେଇକୁ ନେଇ ଗ୍ରାହକ ଅଭିଯୋଗ କରିଛନ୍ତି । ଦୁଇ ଲିଟର ପେଟ୍ରୋଲକୁ ୨୩୦ ଟଙ୍କା ବିଲ୍ ଉଠିବା ଯୋଗୁ ଗ୍ରାହକ ସେଠାରେ ଏହି ଠକେଇ ସମ୍ପର୍କରେ ପ୍ରଶ୍ନ କରିଥିଲେ । ପେଟ୍ରୋଲ ପକାଇବା ସମୟରେ ହ୍ୟାଣ୍ଡେଲ ଅନ୍ କରିବା ସମୟରେ ପେଟ୍ରୋଲ ନଯାଇ ପବନ ଯାଉଥିବା କେତେକ ଗ୍ରାହକ ସେଠାରେ ଆଲୋଚନା କରିଥିଲେ । ଖୋଲିବା ଦିନ ଠାରୁ ଏହି ଟାଙ୍କି ବିବାଦୀୟ ହୋଇପଡ଼ିଛି । ଏଠାରେ ଡ଼ିଜେଲ ମିଳୁନଥିବାରୁ ବସଷ୍ଟାଣ୍ଡରେ ଥିବା ଶହ ଶହ ଅଟୋ ଡ଼ିଜେଲ ପକାଇବା ପାଇଁ ଅନ୍ୟତ୍ର ଯାଉଛନ୍ତି । ଐତିହ୍ୟ ଅଞ୍ଛଳର ୧୦୦ ମିଟର ଭିତରେ ଏହା ରହିଥିବାରୁ ଏହାକୁ ତୁରନ୍ତ ବନ୍ଦ ପାଇଁ ସାଧାରଣରେ ଦାବି ହେଉଛି ।
