ମହୋଦଧି ଆରତୀ ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ : ଜାନୁଆରୀ ମାସ ୬ ତାରିଖରେ ବାର୍ଷିକ ମହୋଦଧି ଆରତୀ ଉତ୍ସବ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ କରୋନା ପାଇଁ ଦୁଇ ବର୍ଷ ବନ୍ଦ ରହିବା ପରେ ଆଗାମୀ ଜାନୁଆରୀ ୬ ତାରିଖ ପୌଷ ପୂର୍ଣ୍ଣିମା ତିଥିରେ ଏହାକୁ ପାଳନ ପାଇଁ ତୀର୍ଥରାଜ ଶ୍ରୀ ମହୋଦଧି ଆରତୀ ପରିଚାଳନା ସମିତି ଓଡ଼ିଶା ପକ୍ଷରୁ ଅନୁରୋଧ କରାଯାଇଛି।ତେଣୁ ଏହାକୁ ଏକ ଭବ୍ୟ ପରିବେଶ ରେ ଆୟୋଜନ କରିବାକୁ ସମସ୍ତେ ସହଯୋଗ କରିବାକୁ ସେ ମତ ଦେଇଥିଲେ।ସମିତିର ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ସମସ୍ତ ଙ୍କୁ ସ୍ୱାଗତ ସହ ମହୋଦଧି ଶ୍ରୀମନ୍ନାରାୟଣ ଭଗବାନ ଙ୍କ ନିବାସ ସ୍ଥାନ।ଜଳ, ଜୀବର ଜୀବନ ହୋଇ ଥିବାରୁ ବିଶ୍ୱ କଲ୍ୟାଣକାରୀ ଭାବନା ନେଇ ବିଗତ ୧୬ ବର୍ଷ ଧରି ପବିତ୍ର ମହୋଦଧି ଆରତୀ କାର୍ଯ୍ୟକ୍ରମ ଆସ୍ଥା ଓ ବିଶ୍ୱାସ ର ସହ ବିଧିପୂର୍ବକ ପୁରୀ ସ୍ୱର୍ଗଦ୍ବାର ସମ୍ମୁଖ ସମୁଦ୍ର ତଟରେ କରାଯାଉଛି।ଏଥିରେ ପୂଜ୍ୟପାଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଜୀ ମହାରାଜ,ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଙ୍କ ସମେତ ବହୁ ସାଧୁ ସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥାନ୍ତି ବୋଲି କହିଥିଲେ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆରତୀ ସ୍ଥଳ ପରିସ୍କାର ପରିଛନ୍ନ କରିବା, ଉଠା ଦୋକାନ ମାନଙ୍କୁ ଉଠାଇବା, ବ୍ୟାରିକେଡ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା,ପାନୀୟ ଜଳ, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ତଟରକ୍ଷୀ ମାନଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥା, ପ୍ରଚାର ପ୍ରସାର ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ଶ୍ରୀ ରାକେଶ କୁମାର ପଣ୍ଡା,ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ରାଉତ,ସମିତିର ସଦସ୍ୟ ବ୍ରହ୍ମଚାରୀ ସୂୟାସ ପ୍ରଶାନ୍ତ, ଶ୍ରୀ ଗୋବିନ୍ଦ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
