ବାସେଳି ସାହିରେ ଝାଡ଼ାବାନ୍ତି ସ୍ୱାସ୍ଥ୍ୟ ବିଭାଗ ନିରବ
ପୁରୀ : ପୁରୀ ସହରରେ ଏବେ ଝାଡ଼ବାନ୍ତି ବ୍ୟାପିବାରୁ ସାହି ଗଳି କନ୍ଦିରେ ଭାଲେଣି ପଡ଼ିଛି । ଦୁଇଦିନ ହେଲାଣି ଦୂଷିତ ପାଣି ପିିଇ ଝାଡ଼ା ହେଉଥିବା ଅଭିଯୋଗ ହେଉଛି । ପାଇପରେ ଆସୁଥିବା ପାଣି ଦୂଷିତ ହେବା ସହ କୌଣସି ସ୍ଥାନରେ ପାଇପ ଫାଟିଥିବାରୁ ପାଣି ପଙ୍କୁଆ ବାସ୍ନା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲିଙ୍କ ପରିବାରର ୮ ଜଣଙ୍କୁ ଝାଡ଼ାବାନ୍ତି ଆକ୍ରାନ୍ତ କରିଛି । ସେହିପରି ପୂର୍ଣ୍ଣଚନ୍ଦ୍ର ଖୁଂଟିଆଙ୍କ ପରିବାର ଲୋକଙ୍କୁ ମଧ୍ୟ ଝାଡ଼ାବାନ୍ତି ଆରମ୍ଭ ହେବାରୁ ପରିବାର ଅତିଷ୍ଠ ହୋଇପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ୱାଟକୋ ପକ୍ଷରୁ କୌଣସି ଯାଞ୍ଛ କରାଯାଇନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନୂଆ ପାଣି ପାଇପ ପଡ଼ିବାରୁ ତାହା କୌଣସି ସ୍ଥାନରେ ଫାଟିଥିବା ସନ୍ଦେହ କରାଯାଉଛି । ବାସେଳି ସାହି, ପଣାପ୍ରିୟା ଠାକୁରାଣି ଅଞ୍ଛଳ, ଗୋଚ୍ଛିକାର ସାହି ,ଲୋକନାଥ ରୋଡ଼ ଅଞ୍ଛଳରେ ଝାଡ଼ାବାନ୍ତି ସଂକ୍ରମିତ ହେଉଥିବା ଜଣାପଡ଼ିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଛଳରେ ପାଣି ନମୁନା ସଂଗ୍ରହ ସହ ଆକ୍ରାନ୍ତ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗ୍ରୀନ ଟୁ ଟ୍ୟାପ ନାମରେ ବିଶୁଦ୍ଧ ପାଣି ଯୋଗଇ ଦିଆଯାଉଛି ବୋଲି ପ୍ରଚାର ହେଉଥିବା ବେଳେ ଏହି ପାଣି ପିଇ ଏବେ ଝାଡ଼ାବାନ୍ତିରେ ପଡ଼ିବା ଘଟଣା ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ପାଲଟିଛି ।
