ପାରିବାରିକ କଳହକୁ ନେଇ ହତ୍ୟା ଅଭିଯୋଗ
ତିହିଡ଼ି : ଭଦ୍ରକ ଜିଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ଖେଦରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ଉପୁଜିଥିଲା । ଏହି ଗଣ୍ଡଗୋଳରେ ବାବୁଆ ଦାସ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବାବୁଆ ଦାସଙ୍କ ମା’ ବେଙ୍ଗ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ୧୯୬/୨୨ ଦଫା ୩୦୨, ୩୦୭, ୩୨୩, ୩୨୪, ୩୨୫, ୩୨୬, ୩୪୨, ୫୦୬ ଓ ୩୪ ଆଇପିସି ବଳରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି । ପ୍ରକାଶ ଯେ, ଖେଦରପୁର ଗ୍ରାମର ବାବୁଆ ଦାସ ଓ ତାଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ବୁଧବାର ରାତିରେ ଏହିକଳହ ଉଗ୍ରରୂପ ନେଇଥିଲା । ଯାହାଫଳରେ ବାବୁଆ ଦାସଙ୍କୁ ତାଙ୍କ ପତ୍ନୀ, ତିନି ପୁଅ ଓ ଝିଅ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ବାବୁଆ ଗୁରୁତର ଆହତ ହୋଇଥିଲେ । ବାବୁଆଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିହିଡ଼ି ପରେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ଗୁରୁବାର ସକାଳେ ମୃତ୍ୟୁ ହୋଇଥିଲା । ଖବର ପାଇ ପୀରହାଟ ଥାନା ଆଇଆଇସି ଗୟାଧର ବେହେରା ଡାକ୍ତରଖାନାରେ ପହଞ୍ôଚ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ ଚଳାଇଥିବା ଜଣାପଡ଼ିଛି ।
