ମା’ କାତ୍ୟାୟନୀଙ୍କ ଆରାଧନା? ମିଳିଥାଏ ଯୋଗ୍ୟ ଜୀବନସାଥୀ, ଦୂର ହୋଇଥାଏ ବିବାହରେ ଆସୁଥିବା ବାଧାବିଘ୍ନ
ଆଜି ନବରାତ୍ରୀର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା’ ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ। ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ।
ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ତେବେ ମାତାଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ଋଷି କାତ୍ୟାୟନ। ତାଙ୍କର ତପସ୍ୟାରେ ମାତା ପ୍ରସନ୍ନ ହୋଇ କାତ୍ୟାୟନଙ୍କ ଘରେ ପୁତ୍ରୀ ଭାବରେ ପ୍ରକଟ ହୋଇଥିବାରୁ ମାତାଙ୍କର ନାମ କାତ୍ୟାୟନୀ ରହିଛି। କଥାରେ ଅଛି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମାତା କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମା’ କାତ୍ୟାୟନୀ ମହିସାଷୁରକୁ ବଦ୍ଧ କରି ଜଗତକୁ ଅଭୟ ପ୍ରଦାନ କରିଥିଲେ।
ମନ୍ତ୍ର :
ଯା ଦେବୀ ସର୍ବଭୂତେଷୁ ମା’ କାତ୍ୟାୟନୀ ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ।।
ପୌରାଣିକ ତଥ୍ୟ :
ପୌରାଣିକ ତଥ୍ୟ ଅନୁଯାୟୀ ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ନେଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ହୋଇଛି। କିନ୍ତୁ କାଳିକା ପୁରାଣରେ ଋଷି କାତ୍ୟାୟନ ପ୍ରଥମେ ତାଙ୍କୁ ଦେବୀ ଭାବରେ ଉପାସନା କରିଥିବାରୁ ତାଙ୍କୁ କାତ୍ୟାୟିନୀ ନାମରେ ପରିଚୟ ମିଳିଥିଲା । ବିଶ୍ବାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ପ୍ରସାଦ ସ୍ବରୂପ ମା’ଙ୍କୁ ମହୁ ଭୋଗ ଲାଗି ହୁଏ ।
ସ୍ୱରୂପ :
ମା’ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଭୟ ଏବଂ ଦିବ୍ୟ। ମାଁ କାତ୍ୟାୟନୀ ସୁନା ଭଳି ଚମିକିଥାନ୍ତି। ଦେବୀ କାତ୍ୟାୟନୀଙ୍କର ଚାରି ଭୁଜା। ମାଁଙ୍କ କାତ୍ୟାୟନୀଙ୍କ ବାହାନ ହେଉଛନ୍ତି ସିଂହ।
ପୂଜା ବିଧି :
ନବରାତ୍ରୀର ଷଷ୍ଠ ଦିନରେ ସ୍ନାନ ସାରି ଧ୍ୟାନ କରିବା ପରେ ନାଲି ରଙ୍ଗର କପଡା ପିନ୍ଧି ମାଁ କାତ୍ୟାୟନୀଙ୍କ ପ୍ରତିମା ଏବଂ ଫଟୋ ସାମ୍ନାରେ ମାତାଙ୍କ ଧ୍ୟାନ କରନ୍ତୁ। ଏହାପରେ କଳସ ଆଦି ପୂଜନ କରିବା ପରେ ମାଁଙ୍କୁ ହଳଦିଆ ରଙ୍ଗର ଫୁଲ ଦ୍ୱାରା ବିଶେଷ ପୂଜା-ଅର୍ଚ୍ଚନା କରନ୍ତୁ। ଏଥିସହ ପୂଜା ପରେ ମାଁ କାତ୍ୟାୟନୀଙ୍କ ବନ୍ଦନା କିମ୍ବା ଶ୍ଲୋକ ପଢନ୍ତୁ। ଏସବୁ ପରେ ମାଁଙ୍କୁ ହଳଦିଆ ରଙ୍ଗର ଭୋଗ କରିବା ଉଚିତ।
ପୂଜାର ମହାଉପାୟ :
ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ତେବେ ଆଜିର ଦିନରେ ଏହି ବ୍ୟକ୍ତି ମାତାଙ୍କ ବିଶେଷ ରୂପେ ପୂଜା-ଆରାଧନା କରିବା ଉଚିତ। ଆଜିର ଦିନରେ ମାଁ କାତ୍ୟାୟନୀଙ୍କ ବିଧି ପୂର୍ବକ ସ୍ତୁତି କରିବା ଦ୍ୱାରା ସୁଖଦ ବୈବାହିକ ଜୀବଦର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଯେଉଁ ସାଧକଙ୍କ ବିବାହ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ, ଏହି ଦିନ ମାଁଙ୍କୁ ଖଣ୍ଡ ହଳଦୀ ଅର୍ପିତ କରିବା ଦ୍ୱାରା ମାଁ ଉତ୍ତମ ଫଳ ପ୍ରଦାନ କରିଥାନ୍ତି।
