ନବରାତ୍ରୀର ଷଷ୍ଠ ଦିନ! ଆଜି ମା’ଙ୍କ କାତ୍ୟାୟନୀ ବେଶ, ଜାଣି ରଖନ୍ତୁ ପୂଜାବିଧି ଓ ନୀତି ନିୟମ
ଚାଲିଛି ନବରାତ୍ରୀ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ନବରାତ୍ରୀର ଷଷ୍ଠ ଦିନରେ ମାଆ ଆଦିଶକ୍ତି କାତ୍ୟାୟନୀଙ୍କୁ ପୂଜା କରାଯାଏ । ମା’ କାତ୍ୟାୟନୀଙ୍କ ପୂଜା ଦ୍ବାରା ଶତ୍ରୁ ସଂହାର ପାଇଁ ଶରୀରରେ ଅଦ୍ଭୁତ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ବାସ ରହିଛି । ବଜ୍ର ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ କାତ୍ୟାୟନୀଙ୍କର ଚାରୋଟି ହସ୍ତ । ଗୋଟିଏ ହାତରେ ଖଣ୍ଡା ଦ୍ବିତୀୟ ହାତରେ ପଦ୍ମ ଫୁଲ ଶୋଭା ପାଇଥାଏ । ଅନ୍ୟ ହସ୍ତ ଦ୍ବୟ କ୍ରମଶଃ ବରମୁଦ୍ରା ଓ ଅଭୟମୁଦ୍ରାରେ ରହିଥାଏ । ଚାରିଭୁଜାଧାରୀ ମା’ କାତ୍ୟାୟନୀ ସିଂହ ଉପରେ ବିରାଜମାନ ହୋଇଥାନ୍ତି । କୁହାଯାଏ ଯେ, ଦେବୀଙ୍କର ଏହି ସ୍ବରୂପକୁ କନ୍ୟାମାନେ କଲେ ଯୋଗ୍ୟ ଜୀବନ ସାଥୀ ପାଇଥାନ୍ତି। ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ। ମାତାଙ୍କ ଅଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସଂତାପ, ଭୟ ବିନାଶ ହୋଇଥାଏ। ତେବେ, ନବରାତ୍ରର ଷଷ୍ଠ ଦିନରେ କିଭଳି ଘରେ ମାଆଙ୍କ ଆରାଧନା କରିବେ ଜାଣି ରଖନ୍ତୁ ଶୁଭ ମୂହୁର୍ତ୍ତ ଓ ନୀତି ନିୟମ ।
ବ୍ରତଧାରୀମାନେ ସକାଳୁ ପ୍ରଥମେ ଘରକୁ ଗଙ୍ଗା ଜଳରେ ସୁଦ୍ଧ କରନ୍ତୁ । ସ୍ନାନ କରିବା ପରେ ବ୍ରତଧାରୀମାନେ ଧୂଷର ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ପରେ ଦୁର୍ଗାଙ୍କ ଫଟୋ କି କାତ୍ୟାୟନୀଙ୍କ ଫଟୋରେ କିଛି ଗଙ୍ଗା ଜଳ ଛିଞ୍ଝନ କରି କିଛି ପଦ୍ମଫୁଲ ଚଢାନ୍ତୁ । ଏବଂ ମାଆଙ୍କୁ କୁଙ୍କୁମରେ ସଜେଇ ଦିଅନ୍ତୁ । ଦେବୀ ମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହୁ ଭୋଗ ଲଗାନ୍ତୁ । ତେବେ, ପୂଜା କରିବାରେ ଶୁଭ ସମୟ ଆରମ୍ଭ ହେଉଛି ୩୦ ତାରିଖ ରାତି । ଅର୍ଥାତ ୩୦ ତାରିଖ ରାତି ଶୁକ୍ଲଷଷ୍ଠୀ ଆରମ୍ଭ ହେଉଛି । ଶୁକ୍ଲଷଷ୍ଠୀ ସେହିଦିନ ରାତି ୧୦.୩୪ ସମୟ ଠାରୁ ଆରମ୍ଭ ହୋଇ ପରଦିନ ଅର୍ଥାତ ଅକ୍ଟୋବର ୧ ତାରିଖ ରାତି ୮.୪୬ ପର୍ଯ୍ୟନ୍ତ ଚାଲିବ । ସେହି ସମୟରେ ଆପଣ ଦେବୀମାଙ୍କୁ ପୂଜା କରିପାରିବେ । ସେହି ଶୁଭ ସମୟରେ ପୂଜା କଲେ ଆପଣ ଦେବୀ କୃପା ଲାଭ କରିପାରିବେ । ବିଶ୍ବାସ ରହିଛି ନବରାତ୍ରୀରେ ମା’ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଏହି ଦିନ ପ୍ରସାଦ ସ୍ବରୂପ ମା’ଙ୍କୁ ମହୁ ଭୋଗ ଲାଗି ହୁଏ ।
ମା’ କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ତେବେ ମାତାଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ ଋଷି କାତ୍ୟାୟନ। ତାଙ୍କର ତପସ୍ୟାରେ ମାତା ପ୍ରସନ୍ନ ହୋଇ କାତ୍ୟାୟନଙ୍କ ଘରେ ପୁତ୍ରୀ ଭାବରେ ପ୍ରକଟ ହୋଇଥିବାରୁ ମାତାଙ୍କର ନାମ କାତ୍ୟାୟନୀ ରହିଛି। କଥାରେ ଅଛି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମାତା କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମା’ କାତ୍ୟାୟନୀ ମହିସାଷୁରକୁ ବଦ୍ଧ କରି ଜଗତକୁ ଅଭୟ ପ୍ରଦାନ କରିଥିଲେ।
