କୂଅରେ ପଡି ଅଢେଇ ବର୍ଷର ଶିଶୁପୁତ୍ର ମୃତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ଗୁରୁବାର ଖେଳୁଥିବା ସମୟରେ ଅସାବଧାନତାବଶତଃ କୂଅରେ ପଡି ପ୍ରାଣ ହରାଇଛି ଏକ ଅଢ଼େଇ ବର୍ଷର ଶିଶୁ ପୁତ୍ର ।
ସୂଚନା ଯେ, ଅଲାଇଡିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢେଇ ବର୍ଷର ପୁଅ ସୂର୍ଯ୍ୟ କୁମାର ଘରେ ଖେଳୁଥିବା ବେଳେ ବାରି ପଟକୁ ଚାଲିଯାଇଥିଲା । ଅସାବଧାନତା ବଶତଃ ବାରିରେ ଥିବା କୂଅରେ ଖସି ପଡ଼ିଥିଲା । ଏନେଇ ସଙ୍ଗେସଙ୍ଗେ ପରିବାର ଲୋକେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ୪୦ ଫୁଟ ଗଭୀର କୂଅରୁ ଶିଶୁକୁ ଉଦ୍ଧାର କରିଥିଲେ । ପରେ ତାକୁ ବାଲୁଗାଁ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
