କଣ୍ଟିମଙ୍ଗଳା ପୀଠରେ ପାରମ୍ପରିକ ଘୋଡା ନାଚ ଅନୁଷ୍ଠିତ
ତିହିଡ଼ି : ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ନୟାନନ୍ଦ କଣ୍ଟିମଙ୍ଗଳା ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଚଇତି ପର୍ବ ଉପଲକ୍ଷେ ପାରମ୍ପରିକ ଘୋଡା ନାଚ ଅନୁଷ୍ଠିତ ହୋଇଯାଇଛି । ଗତ ୬ ତାରିଖ ଚୈତ୍ର ପୂର୍ଣ୍ଣମୀ ଅବସରରେ କଳସ ବୁଡା ହେବା ସହ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଘୋଡା ନାଚ ଦଳ ଗୁଡିକ ଗାଁ ପରିକ୍ରମା କରିଥିଲେ । ପରଦିନ ମା’ଙ୍କ ପୀଠରେ ଘୋଡା ନାଚ ଅନୁଷ୍ଠିତ ହୋଇଥିବା ବେଳେ ଗୋରାମାଟି, ଦେଉଳସାହି ତୋରଣପଦା ଓ ନୟାନନ୍ଦ ବାଲିଶୁଦ୍ରା ଘୋଡା ନାଚ ଦଳ ବାଣ, ରୋଷଣୀ ଓ ବାଦ୍ୟର ତାଳେ ତାଳେ ଘୋଡା ନାଚ ପରିବେଷଣ କରିଥିଲେ । ଏହି ଘୋଡା ନାଚ ଦେଖିବାକୁ ଆଖପାଖ ଗାଁ ଗୁଡିକରୁ ସହସ୍ରାଧିକ ଲୋକ ରୁଣ୍ଡ ହୋଇଥିଲେ । ମା’ କଣ୍ଟିମଙ୍ଗଳା ପୂଜା କମିଟିର ସଭାପତି ପୀତବାସ ମଳିକ, ସଂପାଦକ କୈଳାସ ଚନ୍ଦ୍ର ପତି, ନୟାନନ୍ଦ ପଞ୍ଚାୟତର ସରପଞ୍ଚ ନିହାରୀକା ବିଶ୍ୱାଳ, ସମିତିସଭ୍ୟ ଭକ୍ତହରି ମଳିକ, ପୀଠର ପୂଜକ ଅମୂଲ୍ୟ ମହାପାତ୍ର, ରଘୁନାଥ ମଳିକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଓ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମା’ଙ୍କ ପୀଠରେ ଏଭଳି ପରମ୍ପରା ଦୀର୍ଘ ୪୦ ବର୍ଷ ହେଲା ପ୍ରଚଳିତ ରହିଆସିଛି ।
