ଜଳେଶ୍ୱର ସବ୍ଡିଭିଜନ୍ ଘୋଷଣା ଦାବିରେ ୫ହଜାର ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ହେବ ହସ୍ତାନ୍ତର
ଜଳେଶ୍ୱର : ଉତ୍ତର ଓଡିଶାରେ ଜଳେଶ୍ୱରକୁ କେନ୍ଦ୍ର କରି ଏକ ସବ୍ଡିଭିଜନ୍ ଘୋଷଣା ଲାଗି ଯୁବ ଓ ଛାତ୍ର ସଂଗଠନ ପ୍ରୟାସ ଜାରି ରଖିଛି । ତିନି ସପ୍ତାହ ମଧ୍ୟରେ ଉତ୍ତର ବାଲେଶ୍ୱରରୁ ୫ହଜାର ଲୋକଙ୍କ ସ୍ୱାକ୍ଷର ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବାର ସିଦ୍ଧାନ୍ତ ହୋଇଛି । ଏଥିଲାଗି ଆଜି ଭଂଜଶ୍ରୀ ଭବନରେ ଯୁବ-ଛାତ୍ର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଯାଇଛି ।
ଦୀର୍ଘ ୪୪ବର୍ଷ ଧରି ଜଳେଶ୍ୱରକୁ ସବ୍ଡିଭିଜନ୍ ଘୋଷଣା ଲାଗି ବିଭିନ୍ନ ପର୍ଯ୍ୟାୟରେ ଓ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ଦାବି ହୋଇ ଆସୁଛି । କିନ୍ତୁ ଅଦ୍ୟାବଧି ତାହା ଘୋଷିତ ହୋଇ ନଥିବାରୁ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଅଂଚଳର ଛାତ୍ର ଓ ଯୁବ ସଂଗଠନ ଏହି ଦାବିକୁ ଗୁରୁତ୍ୱ ଦେଇଛି । ଏବେ ଜଳେଶ୍ୱରରେ ଏକ ଜିଲା ଲାଗି ପ୍ରସ୍ତାବ ଆସିଥିବା ବେଳେ ଏଠାରେ ୫ଟି ବିଭାଗର ଜିଲା ସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହୋଇଛି । ବାଲେଶ୍ୱରରୁ ଜଳେଶ୍ୱର ଓ ଭୋଗରାଇ ଶେଷ ସୀମାଯାଏ ୧୦୦ କି.ମି ଦୂରତ୍ୱ, ସୀମା ସମସ୍ୟା, ମାଦକ ଦ୍ରବ୍ୟର ବ୍ୟାପକ ଚୋରାଚାଲାଣ, ମୁକୁଳା ସମୁଦ୍ର ବେଳାଭୂମୀ, ପ୍ରାକୃତିକ ବିପର୍ଯ୍ୟର ମୁକାବିଲା ଇତ୍ୟାଦି ଲାଗି ସବ୍ଡିଭିଜନ୍ ଏକାନ୍ତ ଜରୁରୀ ବୋଲି ଆଜି ସଂଗଠନର ୬ ଆବାହକ କାଳିଚରଣ ଦାସ, ଚନ୍ଦନ କର, ରାସବିହାରୀ ରଣା, ସତ୍ୟଶୋଭନ ମିଶ୍ର, ରାଜୀବ ଗିରି ଓ ବାଦଲ ବେହେରା ସମ୍ବାଦିକ ସମ୍ମିଳନୀରେ ଯୁକ୍ତି ଉତ୍ଥାପନ କରିଥିଲେ । ଜାନୁଆରୀ ୫ ତାରିଖ ସୁଦ୍ଧା ୧୦ହଜାର ବ୍ୟକ୍ତିଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବାର ସିଦ୍ଧାନ୍ତ କରିଥିବା ବେଳେ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସୁଥିବାରୁ ସେଠାରେ ୫ହଜାର ସ୍ୱାକ୍ଷର ସମ୍ବଳିତ ଦାବିପତ୍ର ତାଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ କୁହାଯାଇଛି । ଏଥିରେ ପ୍ରତି ବ୍ଲକ ସ୍ତରର ଯୁବ-ଛାତ୍ର, ନେତୃସ୍ଥାନୀୟ ବ୍ୟକ୍ତି ସ୍ୱାକ୍ଷର କରିଥିବା ବେଳେ ଏଣିକି ୪ଟି ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି ସ୍ୱାକ୍ଷର କରିବା ସିଦ୍ଧାନ୍ତ ସଂପର୍କରେ କହିଥିଲେ ।
