ସୂଚନା ଓ ପ୍ରଯୁକ୍ତିବିଦ୍ୟା ହିଁ ଶିକ୍ଷାର ଅଦ୍ଭୁତପୂର୍ବ ସଫଳତା ବିଏନଏମ୍ଏ କଲେଜ ଶିକ୍ଷା ସମ୍ମାନ ବିଭାଗର ପାଠଚକ୍ର
ତିହିଡ଼ି : ସଂପ୍ରତି ସୂଚନା ପ୍ରଯୁକ୍ତିବିଦ୍ୟା ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଏକାଡେମିକ୍ ଗ୍ରେଡ୍ ଉନ୍ନତ କରିବାରେ ବ୍ୟାପକ ଭାବେ ସହାୟତା କରୁଛି । ଜିଜ୍ଞାସୁ ଛାତ୍ରଛାତ୍ରୀ ପ୍ରଯୁକ୍ତିବିଦ୍ୟାର ଯଥାର୍ଥ ଉପଯୋଗ କରି ଶିକ୍ଷାଳୟ, ଶ୍ରେଣୀଗୃହ ଓ ଶିକ୍ଷକମାନଙ୍କ ବ୍ୟତୀତ ବିଭିନ୍ନ ଉତ୍ସଗୁଡ଼ିକରୁ ଅଧ୍ୟୟନ ଓ ଗବେଷଣାଲବ୍ଧ ତଥ୍ୟହାସଲ କରିପାରୁଛି । କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ବିବିଧ ପ୍ରଯୁକ୍ତିକ କୌଶଳ ସମଗ୍ର ପୃଥିବୀରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି ଓ ଏହାହିଁ ଶିକ୍ଷା ବିଭାଗ ପାଇଁ ଏକ ଅଦ୍ଭୁତପୂର୍ବ ସଫଳତା ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏମଏ କଲେଜର ଶିକ୍ଷା ସମ୍ମାନ ବିଭାଗ ପକ୍ଷରୁ ଅନୁଷ୍ଠିତ ପାଠଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଲେଜର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ‘ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗିତା’ ଶୀର୍ଷକ ପାଠଚକ୍ରରେ ବିଷୟ ବିଶାରଦ ଭାବେ ବରପଦା ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ବିଜ୍ଞାନ ଓ ବୈଷୟିକ ବିଭାଗର ସହକାରୀ ପ୍ରଫେସର ଅଂଶୁମାନ ମିଶ୍ର ଯୋଗଦେଇ ପ୍ରଯୁକ୍ତି ଜ୍ଞାନକୌଶଳ, ପ୍ରୋଗ୍ରାମ୍ ଓ ଉପକରଣଗୁଡ଼ିକର ବିଭିନ୍ନ ଶୈକ୍ଷିକ ଉପଯୋଗୀ ଦିଗ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ବିଭାଗର ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅଧ୍ୟାପକ ଅମିୟ ରଞ୍ଜନ ଦାସ ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପରିସଂଖ୍ୟାନ ବିଭାଗ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ସମାଜବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବେହେରା, ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ନାରାୟଣ ଦାସ ଓ ମନସ୍ତତ୍ତ୍ୱ ବିଭାଗ ଅଧ୍ୟାପିକା ଜ୍ୟୋର୍ତିମୟୀ ପ୍ରଧାନ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ମହମ୍ମଦ ଇଜାଜ୍, ପ୍ରକାଶ ରଞ୍ଜନ ଓଝା ଓ ଛାତ୍ରୀ ଦେବାର୍ଚ୍ଚନା ପୃଷ୍ଟି, ପ୍ରତିମା ନାୟକ, ପ୍ରଣୟିନୀ ମଲ୍ଲିକ୍, ସସ୍ମିତା ଗିରି, ବିନିଲତା ଦାସ, ଲିଜା ବେହେରା, ରାନୁବାଳା ସାମନ୍ତରାୟ ଓ ନିଲଫର ସୁଲତାନା ସ୍ୱରଚିତ ପ୍ରବନ୍ଧ ପରିବେଷଣ କରିଥିଲେ । ଅଧ୍ୟାପିକା ଅନୀତା ତ୍ରିପାଠୀ, ହୀରକଲତା ଦାଶ, ପ୍ରିୟଙ୍କା ସାହୁ, ଡକ୍ଟର ସାଣ୍ଡ୍ରା ରୋଜାରିଓ, ସ୍ୱପ୍ନା ରାୟ ଓ ଅଧ୍ୟାପିକ ମଞ୍ଜୁର ଅହମ୍ମଦ ଖାନ, ସରୋଜ କୁମାର ମହାପାତ୍ର, ଦୀପକ କୁମାର ପଣ୍ଡା, ସୌମେନ ମହାପାତ୍ର, ଦେବାଶିଷ ଦାସ ଓ ବୈଷ୍ଣବ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ତୃତୀୟବର୍ଷ ସମ୍ମାନର ଛାତ୍ର ରାଜେଶ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
