ସ୍ତ୍ରୀକୁ ନିର୍ଯାତନା ଓ ହତ୍ୟା ଧମକ : ସ୍ୱାମୀ ଗିରଫ
କଟକ : ମଦ ପିଇ ସ୍ତ୍ରୀକୁ ଗାଳିଗୁଲଜ କରି ହତ୍ୟା ଧମକ ଦେବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ସ୍ଥାନୀୟ ପଣ୍ଡାସାହି ନୂଆବସ୍ତିର ଶୁଭମ୍ ନାଏକ(୩୦) । ମିଳିଥିବା ସୂଚନା ଅନୁଯାୟୀ ଏହି ବସ୍ତିର ଲକ୍ଷ୍ମୀପ୍ରିୟା ନାଏକ ସେହି ବସ୍ତିର ଶୁଭମକୁ ଗତ ୨୪.୧୧.୨୦୨୧ରେ ବିବାହ କରିଥିଲା । ତା’ର ଏବେ ୧୦ ବର୍ଷ ର ଝିଅ ରହିଛି ଏବଂ ସେ ବର୍ତ୍ତମାନ ୯ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ଶୁଭମ୍ ସର୍ବଦା ମଦ୍ୟପାନ କରି ସେମାନଙ୍କୁ ଗାଳିଗୁଲଜ କରେ । ସେମାନଙ୍କୁ ଖର୍ଚ୍ଚ ଦେବା ବଦଳରେ ଅନେକ ସମୟରେ ଲକ୍ଷ୍ମୀପ୍ରିୟାକୁ ଧମକ ଦେଇ ମଦ ପିଇବାକୁ ଟଙ୍କା ନିଏ । ଗତ ୩ ତାରିଖରେ ଏନେଇ ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଶୁଭମକୁ ସର୍ତ୍ତମୂଳକ ଭାବେ ଛାଡିଦିଆଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଲକ୍ଷ୍ମୀପ୍ରିୟା ତାଙ୍କ ବାପଘରେ ରହୁଥିବା ବେଳେ ଶୁଭମ ଗତକାଲି ରାତିରେ ମଦ ପିଇ ତାଙ୍କ ଘରେ ପହଂଚି କବାଟକୁ ଗୋଇଠା ମାରି ଅଭଦ୍ର ଭାଷାରେ ଗାଳି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଆଜି ଲକ୍ଷ୍ମୀପ୍ରିୟାଙ୍କ ପୁନଃ ଅଭିଯୋଗ ପରେ ପୂର୍ବ ସର୍ତ୍ତ ଖିଲାପ କରିଥିବାରୁ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
