ସାହିତ୍ୟ ସମାଜକୁ ସୁଧାରିବ ୬୩ତମ ଶିଶିର ଉତ୍ସବ-୨୦୨୨ ଉଦ୍ଘାଟିତ
କଟକ : ରାଜ୍ୟସ୍ତରୀୟ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟ ସଂସଦ’ ଆନୁକୂଲ୍ୟରେ ୬୩ତମ ଶିଶିର ଉତ୍ସବ-୨୦୨୨ ଓ ଓଡିଆ ଲେଖକ ସମ୍ମିଳନ ଆଇନଜୀବୀ ସାହିତ୍ୟିକ ଗୁରୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ କବି ସୂର୍ଯ୍ୟ ମିଶ୍ର, ମୁଖ୍ୟ ଅତିଥି କବି ବ୍ରହ୍ମାନନ୍ଦ ବେହେରା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ଡ. ବିଜୟଲକ୍ଷ୍ମୀ ଦାଶ ଯୋଗଦେଇଥିଲେ । ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ଏହି ସଭାରେ ସାହିତ୍ୟ ସମାଜକୁ ଯୁଗେ ଯୁଗେ ସୁଧାରି ଆସିଛି, ମଣିଷ ଉତ୍ଥାନ ତଥା ବିକାଶରେ ସଂସ୍କାରର ପ୍ରକାଶ ସାହିତ୍ୟ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା । ସାହିତ୍ୟ ସଂସଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜିତ କୁମାର ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ସଂଗଠନ ସଂପାଦକ ରାଜୀବ କୁମାର ଷଡଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ବିଜୟ କୁମାର ନାଥ ଓ କବି ନିରୂପମା କରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୭୦ରୁ ଅଧିକ କବି କବିତା ପାଠ କରିଥିଲେ । ଏହି ସଭାକୁ ସୁରଜିତ ନାଥ, ମନୋରଂଜନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଡ. ବିନୋଦ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।
