ଚୀନକୁ ଚେତାବନୀ ! ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କଲା ଭାରତ
ଭଦ୍ରକ : ଭାରତୀୟ ପ୍ରତିରକ୍ଷା ଓ ଗବେଷଣାଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ପୂର୍ବଉପକୂଳ ଧାମରା ଠାରୁ ୧୫ କିମି ସମୁଦ୍ର ମଧ୍ୟରେ ସ୍ଥିତ ଏପିଜେ ଅବଦୁଲ କଲାମ ଘାଟିର ୪ନଂ ଲଂଚପ୍ୟାଡରୁ ଗୁରୁବାର ସନ୍ଧ୍ୟା ୫ଟା ୫୦ ମିନିଟ୍ ସମୟରେ ଅଗ୍ନି-୫ କ୍ଷେପଣାସ୍ତ୍ରର ୮ ମ ସଂସ୍କରଣର ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଅନୁକୂଳ ପାଗରେ ରାତିରେ ପରୀକ୍ଷଣ ପାଇଁ ଏହାସୁଦୀର୍ଘ ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା । ସେକେଣ୍ଡ ପ୍ରତିଏହା ୪.୨ କିମିବେଗରେ ଗତି କରିପାରୁ ଥିବାବେଳେ ୧୨ମିନିଟ୍ରେ ଏହା ଲକ୍ଷ୍ୟଭେଦ କରିଥିଲା । ଏହି ପରୀକ୍ଷଣ ଭାରତୀୟ ସ୍ଥଳ ସେନାର ଷ୍ଟ୍ରାଟେଜି କଫୋର୍ସକମାଣ୍ଡୋଙ୍କ ଦ୍ୱାରା ହୋଇଥିବାବେଳେ ପାଖାପାଖି ୩ଶହରୁ ଉର୍ଦ୍ଧ୍ୱ ବୈଜ୍ଞାନିକ ଉପସ୍ଥିତ ଥିଲେ । ନାଭିଗେସନ ସିଷ୍ଟମ ଓ ଗ୍ଲୋବାଲ ପୋଜିସନିଂ ସିଷ୍ଟମରେ ଦେଶର ୩ଗୋଟି ରାଡ଼ାର ଏହାର ଗତିବିଧି ଉପରେ ନିରୀକ୍ଷଣ କରିଥିଲେ ।
ଏହି ମିସାଇଲ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଓ ୩ୟ ଷ୍ଟେଜ ଇନ୍ଧନରେ ପରିଚାଳିତ । ଏହାର ଲକ୍ଷ୍ୟଭେଦ କ୍ଷମତା ୫ହଜାର ୫ ଶହ କିଲୋମିଟର ଥିବାବେଳେ ୧ ହଜାର ୩୬୦ କିଲୋଗ୍ରାମର ଆଣବିକ ହତିଆର ବହନ କରିବାର କ୍ଷମତା ରହିଛି । ଲମ୍ବା ୧୭.୫ ମିଟର ହୋଇଥିବାବେଳେ ଓଜନ ୫୦ ହଜାର କିଲୋଗ୍ରାମ । ଅଗ୍ନି-୫ ଏକାଥରକେ ଅନେକ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରେ । ଏହାକୁ ଅତି ସହଜରେ ଓ ଅଳ୍ପ ସମୟରେ ମୁତୟନ କରାଯାଇପାରିବା ସହ ଘଣ୍ଟାପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଯାଇପାରିବ । ପରୀକ୍ଷଣ ବେଳେ ଏହାର ଆଲୋକ ରାଜ୍ୟର ୧୦ଟି ଜିଲାରେ ଏହା ଦୃଶ୍ୟମାନ ହୋଇଛି । କଟକ ଜିଲାର ଟାଙ୍ଗୀ, କେନ୍ଦୁଝରର ଆନନ୍ଦପୁର, ଗଞ୍ଜାମର ଖଲ୍ଲିକୋଟ, ବାଲେଶ୍ୱର ଓ ବସ୍ତା, ଭଦ୍ରକର ଚାନ୍ଦବାଲି, ଯାଜପୁର, କେନ୍ଦ୍ରାପଡ଼ା, ପୁରୀର ଅସ୍ତରଙ୍ଗ ଓ ସୁନ୍ଦରଗଡ଼ ଜିଲା ଆକାଶରେ ଆଖି ଝଲସେଇବା ଭଳି ଆଲୋକ ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମନରେ ଉତ୍ସୁକତା ଭରିଯାଇଥିଲା । ପ୍ରକୃତରେ ଏହା କ’ଣ ବୋଲି ଲୋକଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିଲା । ହେଲେ ଅଗ୍ନି-୫ ପରୀକ୍ଷଣ ଖବର ଆସିବା ପରେ ଅନୁମାନ କରାଯାଉଛି ଯେ, ଏହି ଆଲୋକ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ହୋଇଥାଇପାରେ ।
ଅଗ୍ନି-୫ ମିସାଇଲ ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟରକଣ୍ଟିନେଟାଲ ବାଲାଷ୍ଟିକ ମିସାଇଲ ବୋଲି କୁହାଯାଉଛି । ତେବେ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ କରି ଭାରତ ଚୀନକୁ ଚେତାବନୀ ଦେଇଥିବା ବେଳେଏହି ମିସାଇଲର ରେଞ୍ଜରେ ପାକିସ୍ତାନ ଓ ଚୀନ ବି ଆସୁଛି । ଭାରତ-ଚୀନ ସୀମାରେ ଯେତେବେଳେ ଉତ୍ତେଜନା ଲାଗି ରହିଛି । ଚୀନ ସେନା ଭାରତୀୟ ସୀମା ଅରୁଣାଚଳ ପ୍ରଦେଶ ଭିତରକୁ ଅନୁପ୍ରବେଶ କରିବାକୁ ନେଇ ଦୁଇ ଦେଶର ସେନା ଭିତରେ ସଂଘର୍ଷ ହୋଇଛି, ସେତିକିବେଳେ ଭାରତ ନିଜର ସବୁଠାରୁ ଶକ୍ତିଶାଳୀ ମିଜାଇଲ ଅଗ୍ନି-୫ର ବ୍ୟବହାରିକ ପରୀକ୍ଷଣ କରିଛି । ଏହି ରେଞ୍ଜରେ ଚୀନଠାରୁ ଆରମ୍ଭ କରି ଋଷ ବି ଆସୁଛି । ଭାରତର ଏହି ପରୀକ୍ଷଣରେ ଚୀନ ଭୟଭୀତ ହୋଇପଡ଼ିଛି ।
ସୂଚନା ଯେ, ପୂର୍ବରୁ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ୧୯ଏପ୍ରିଲ ୨୦୧୨ରେ ହୋଇଥିବା ବେଳେ ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟେମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫, ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬, ୫ମ ପରୀକ୍ଷଣ ୧୮ଜନୁଆରୀ ୨୦୧୮, ୬ଷ୍ଠ ପରୀକ୍ଷଣ ୩ ଜୁନ୍ ୨୦୧୮ ଏବଂ ୭ମ ପରୀକ୍ଷଣ ସେହିବର୍ଷ ଡ଼ିସେମ୍ବର ୧୦ ତାରିଖ ରାତ୍ରି ସମୟରେ ହୋଇଥିଲା ।
