ଭଦ୍ରକରେ ଦୁଇଦିନିଆ ଜିଲାସ୍ତରୀୟ ନିଯୁକ୍ତି ମେଳା ଉଦ୍ଘାଟିତ, ୧୪୨୬ ପଞ୍ଜିକରଣ
ଭଦ୍ରକ : ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଆୟୋଜିତ ଭଦ୍ରକ ଜିଲା ସ୍ତରୀୟ ଦୁଇଦିନିଆ ନିଯୁକ୍ତି ମେଳା ଉଦ୍ଘାଟିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଉଦ୍ଘାଟନ କରିଥିଲେ ।
ଜିଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ୍ ଯୋଗଦେଇ ବକ୍ତବ୍ୟ ପ୍ରସଙ୍ଗରେ ଏଣେତେଣେ ଘୁରିବୁଲୁଥିବା ବେକାରୀ ଯୁବକ ଯୁବତୀମାନେ ଏଠାକୁ ଆସିଥିବା ବିଭିନ୍ନ ସଂସ୍ଥା ଦ୍ୱାରା ଚାକିରୀ କି ତାଲିମ୍ ବିଷୟରେ ବୁଝି ନିଜର ଶିକ୍ଷାଗତ ଓ ଦକ୍ଷତା ଅନୁଯାୟୀ ନିଜପାଇଁ ନିଯୁକ୍ତି ବାଛି ନେବାର ସୁଯୋଗ ହାତଛଡ଼ା ନକରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀମତୀ ମଣ୍ଡଳ ସରକାରଙ୍କ ତରଫରୁ ଏହି ମେଳା ବେକାରୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରକାଶ କରିଥିଲେ । ମେଳାର ଆଭିମୁଖ୍ୟ, ମେଳାକୁ ଆସିଥିବା ନିଯୁକ୍ତିଦାତାମାନଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ଆଦି ସମ୍ବନ୍ଧରେ ନିୟୋଜନ ଅଧିକାରୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ କି ମେଳାର ପ୍ରଥମ ଦିନରେ ଜିଲାର ୪ଟି ବ୍ଲକ୍ ସହିତ ଅନ୍ୟ ଜିଲା ଓ ଦ୍ୱିତୀୟ ଦିନରେ ଅନ୍ୟ ୩ଟି ବ୍ଲକ୍ ସହ ଅନ୍ୟ ଜିଲାର ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନ ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର ଓ ତିହିଡ଼ି ବ୍ଲକ୍ ପାଇଁ, ଶେଷ ଦିନରେ ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ବନ୍ତ ବ୍ଲକ୍ ପାଇଁ ରଖାଯାଇଛି । ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ମେଳାର ସମୟ ନିର୍ଦ୍ଧାରଣ କରାଯାଇଛି । ଆଜି ପ୍ରାୟ ୧୪୨୬ଜଣ ପିଲା ନାମ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭଦ୍ରକ ବ୍ଲକର ୭୩୪, ତିହିଡ଼ି ୩୧୭, ଚାନ୍ଦବାଲି ୧୭୨, ବାସୁଦେବପୁର ୧୦୨, ଅନ୍ୟ ବ୍ଲକ ୩୧ ଏବଂ ଅନ୍ୟ ଜିଲାରୁ ୭୦ ଜଣ ଥିଲେ ଚୟନ ପ୍ରକ୍ରିୟାରେ ସମୁଦାୟ ୯୦୬ ଜଣ ଫର୍ମ ଦାଖଲ କରିଛନ୍ତି ।
