୩୦ ଓ ୩୧ରେ ଛଠ୍ ପୂଜା
କଟକ : କଟକ ମହାନଗର ଛଠ୍ ପୂଜା ସମିିତି ପକ୍ଷରୁ ଆସନ୍ତା ୩୦ ଓ ୩୧ ଦୁଇ ଦିନ ଧରି ଦେବୀଗଡା ଘାଟଠାରେ ଛଠ୍ ପୂଜା ଅନୁଷ୍ଠିତ ହେବ । ଏହା ୩୦ ତାରିଖ ଅପରାହ୍ନ ୪ଟା ସମୟରେ ଆରମ୍ଭ ହୋଇ ୩୧ ତାରିଖ ସୂର୍ଯ୍ୟ ଉଦୟ ହେବା ପରେ ଶେଷ ହେବ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଗର ଛଠ୍ ପୂଜା ସମିତି ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବେ । ଏହି କାର୍ଯ୍ୟକ୍ରମରେ ରାଜନେତା, ଆଇନଜୀବୀ, ସାମ୍ବାଦିକ, ସମାଜସେବୀ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କେତେକ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩୦ ତାରିଖ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । କଟକ ଦେବୀଗଡାରେ ଏହା ୨୦୧୫ ମସିହାରୁ ପାଳନ ହୋଇଆସୁଛି ବୋଲି ସମିତିର ସଭାପତି ଶୈଳେଶ କୁମାର ବର୍ମା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମନୋଜ ଶର୍ମା ମଂଚ ପରିଚାଳନା କରିବେ । ସଂପାଦକ ମୁକୁନ୍ଦ ସିହ୍ନା ଧନ୍ୟବାଦ ଅର୍ପଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉପ ସଭାପତି ଡ. ସଂଜୟ ସଜ୍ଜନ, ରାଜନାଥ ଚତୁର୍ବେଦୀ, କୋଷାଧ୍ୟକ୍ଷ ସୁନୀଲ କୁମାର ଶର୍ମା, ସହ ସଂପାଦକ ନିଖିଲ ସାହା, ରାମମୂର୍ତ୍ତୀ ତିୱାରୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
