ଓସିଏର ବାର୍ଷିକ ସାଧାରଣ ସଭା
କଟକ : ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ବାର୍ଷିକ ସାଧାରଣ ସଭା ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସଂପାଦକ ସଂଜୟ ବେହେରା ୨୦୨୧-୨୨ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲା ବେଳେ ଆସନ୍ତା ୨୦୨୩-୨୪ର ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ, ଯାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏଥିସହିତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି ଅବସରରେ ଓସିଏ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ଆସନ୍ତା ୩ ବର୍ଷ ପାଇଁ ନିର୍ବାଚିତ ଓସିଏର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ, ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଂଜୟ ବେହେରା, ଯୁଗ୍ମ ସଂପାଦକ ପ୍ରଭାତ କୁମାର ଭୋଇ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଆପେକ୍ସ ସଦସ୍ୟ ଭାବେ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ନାମ ବିଧିବଦ୍ଧ ଘୋଷଣା କରାଯାଇଥିଲା । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
