କୁକୁଡା ବିକ୍ରେତା ସଂଘର ବୈଠକ
??
କଟକ : ଦୀର୍ଘଦୀନ ଧରି କୁକୁଡା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିଲା ବିବାଦ । କୁକୁଡା ଚାଷ କରୁଥିବା ଚାଷୀଙ୍କ ପାଖରୁ କମ୍ପାନୀମାନେ କୁକୁଡା ଉଠାଣ କରି ଗାଡି ମାଧ୍ୟମରେ କୁକୁଡା ବିକ୍ରେତାଙ୍କ ପାଖରେ କୁକୁଡା ପହଂଚାଇଥାନ୍ତି । ଗାଡି ଯୋଗେ ଏହି କୁକୁଡା ଆସୁଥିବା ବେଳେ କିଛି ଚାଷୀ ଓ ଅସାମାଜିକ ବ୍ୟକ୍ତି ରାସ୍ତା ମଝିରେ ଏହି ଗାଡିକୁ ଅଟକାଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିଥାନ୍ତି । ଯାହାଦ୍ୱାରା କୁକୁଡା ବିକ୍ରେତାଙ୍କ ପାଖରେ କୁକୁଡା ଠିକ୍ ଭାବରେ ପହଂଚି ପାରିନଥାଏ । ଫଳରେ ଗ୍ରାହାକମାନେ ଏହା ଦ୍ୱାରା ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ କୁକୁଡା ବିକ୍ରେତା ସଂଘ ପକ୍ଷରୁ ଆଜି (ଶୁକ୍ରବାର) ବାଦାମବାଡି ସ୍ଥିତ ବିସାଲ ଇନ ହେଟେଲରେ କୁକୁଡା ବିକ୍ରେତା ସଂଘର ବରିଷ୍ଠ ସଦସ୍ୟ ପ୍ରବୋଧ କୁମାର ସାହଣୀଙ୍କ ନେତୃତ୍ୱରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ରାଜ୍ୟର ସୁଗୁଣା ଆଇବି, ପଶୁପତି, ସାଲିମାର, ଇଷ୍ଟର୍ଣ୍ଣ, ପୋଲଟେକ୍, ଜେକେ, ଭୈରବୀ, ବାରାମତୀ, ସାହୁ ଟ୍ରେଡର ଓ ସୌରୀ ଫିଡ୍ ଆଦି କୁକୁଡା କମ୍ପାନୀ ଏବଂ ଚାଷୀମାନଙ୍କ ମଧ୍ୟରେ ଏକ ଆଲୋଚନ କରାଯାଇଥିଲା । ବର୍ତ୍ତମାନ ଆପାତତଃ କମ୍ପାନୀ ଚାଷୀଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲାଭ ପରିମାଣରେ ବୃଦ୍ଧି କରିଥିବା ବେଳେ କିଛି ପରିମାଣରେ ଚାଷୀ ଏହି ଲାଭାଂଶକୁ ନେଇ ଖୁସି ନାହାଁନ୍ତି । ସେ ଯାହାହେଉ, ଏହି ବିବାଦର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଚାଷୀ ଓ କମ୍ପାନୀ ଉଭୟେଙ୍କ ମିଳିତ ପ୍ରୟାସରେ କୁକୁଡା ଉଠାଣ ହୋଇ ଗାଡି ଯୋଗେ ବିନା ଦ୍ୱନ୍ଦରେ ବିକ୍ରେତାଙ୍କ ପାଖରେ କୁକୁଡା ପହଂଚିବ ବୋଲି ଆଲୋଚନା ହୋଇଛି । ଏହା ପୂର୍ବରୁ ରାଜ୍ୟ ସରକାର ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ରାସ୍ତାରେ କୁକୁଡା ଯାତାୟତ ସମୟରେ ଯଦି କୌଣସି ପ୍ରକାରର ବିଶୃଙ୍ଖଳାକାରୀ ସମସ୍ୟା ସୃଷ୍ଟି କରନ୍ତି ତାହାଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ପୋଲିସ ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଯଦି ଏହା ସତ୍ୱେ କୌ÷ଣସି ଖିଲାପ ହୁଏ ତାହାଲେ ସମସ୍ତ କୁକୁଡା ବିକ୍ରେତା ସଂଘ ସାମୁହିକ ଭାବେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରଖିବା ସହ ରାଜ ରାସ୍ତାରେ ଧାରଣାରେ ବସିବେ ବୋଲି କହିଛନ୍ତି ।
