ବିହାରରୁ ଦୁଇ ଗିରଫ
କଟକ : ଟେଲମା-୪୦ ନକଲି ଔଷଧ କାରବାରରେ ପୁରୀଘାଟ ଥାନା ପୋଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବିହାର ରାଜ୍ୟ ଗୟା ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରର ଆଲୋକ କୁମାର ମିଶ୍ର(୪୦) ଓ ହରିଶ କୁମାର(୪୦) । ମିଳିଥିବା ସୂଚନା ମୁତାବକ, ପୋଲିସ ପୂର୍ବରୁ ଏହି ନକଲି ଔଷଧ କାରବାରରେ କଟକର ଭିଆର ଡ୍ରଗ ଏଜେନ୍ସି ଓ ମେସର୍ସ ପୂଜା ଏଣ୍ଟରପ୍ରାଇଜର୍ସର ରାହୁଲ କ୍ୟାଲ ଏବଂ ସଂଜୟ ଜଲାନଙ୍କୁ ଗିରଫ କରି ଗତ ୧୫ ତାରିଖରେ ରିମାଣ୍ଡରେ ନେଇ ପଚରା ଉଚରା ଚଳାଇଥିଲା । ଉଭୟ ପାଟନାର ବାଲାଜୀ ଏଜେନ୍ସି ଓ ଗୟାର ବାଲାଜୀ ଡ୍ରଗ ପଏଣ୍ଟ ନାମକ ଦୁଇଟି ସଂସ୍ôଥାରୁ ଏହି ନକଲି ଔଷଧ ଆଣି ଅଧିକ ମୁନାଫା ଲୋଭରେ ଏହି ନକଲି କାରବାର ଚଳାଇଆସୁଥିବା ମାନିଥିଲେ । ଏହି ଅଧାରରେ ପୁରୀଘାଟ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଦଳ ବିହାର ଯାଇ ଛାନଭିନ କରିବା ବେଳେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଗୟା ଏସଡିଜେଏମ ଅଦାଲତରେ ହାଜର କରାଇବା ପରେ କଟକ ଆଣିଛି । ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ପିନାକ ମିଶ୍ର କହିଥିବା ବେଳେ ଏହି କାରବାରରେ ସଂପୃକ୍ତ ଅନ୍ୟ ସମସ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ।
