ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର କଟକଣା
କଟକ : ଆଗକୁ ଆସୁଛି ଦୁର୍ଗାପୂଜା । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ୍ ଉପରେ କଟକଣା ଲାଗୁ କରିଛନ୍ତି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ । ଏ ସଂପର୍କରେ ସୂଚନା ଦେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଲାଉଡ୍ ସ୍ପିକର ସାଉଣ୍ଡ ୬୫ ଡେସିବଲ ଭିତରେ ସୀମିତ ରଖି ପୂଜା ମଣ୍ଡପଗୁଡିକରେ ଲଗା ହୋଇଥିବା ଲାଉଡ୍ ସ୍ପିକର କାର୍ଯ୍ୟ କରିବ । ଯେକୈାଣସି ପୂଜା ମଣ୍ଡପର ଭସାଣରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି ଦିଆଯିବ । ତେବେ ମ୍ୟୁଜିକ ପାର୍ଟିର ସର୍ବୋଚ୍ଚ ୫ଟି ସାଉଣ୍ଡ ବକ୍ସକୁ ବ୍ୟବହାର କରାଯାଇପାରିବ ବୋଲି ଶ୍ରୀ ମିଶ୍ର କଟକଣା ଜାରି କରିଛନ୍ତି । ସେହିଭଳି ସାଇଲେନ୍ସ ଜୋନ୍ର ଶହେ ମିଟର ପରିଧିରେ ବ୍ୟାଣ୍ଡ ଓ ଡିଜେକୁ ନିଷେଧ କରାଯାଇଥିବା ବେଳେ ଫ୍ଲାସ ଲାଇଟ୍ ଲଗାଇ ପାରିବେ ନାହିଁ । ଯଦି ନୀତିନିୟମକୁ କୈାଣସି ପୂଜା ମଣ୍ଡପ ପକ୍ଷରୁ ଉଲ୍ଲଙ୍ଘନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସେ କହିଛନ୍ତି ।
