୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟର ଶୁଭାରମ୍ଭ
କଟକ : ରାଜ୍ୟର ଜନସାଧାରଣଙ୍କ ବିଭିନ୍ନ ମାମଲାର ସୁବିଧା ନିମନ୍ତେ ଆଜି ୩୦ଟି ଯାକ ଜିଲ୍ଲାରେ ଉଦଘାଟିତ ହୋଇଛି ପେପର ଲେସ୍ କୋର୍ଟ । ଏହାଦ୍ୱାରା ଇ-ପେମେଣ୍ଟ, କୋର୍ଟ ଫି, ଭର୍ଚୁଆଲ ହିୟରିଂ, ଇ-କଷ୍ଟୋଡି ସାର୍ଟିଫିକେଟ, ଇ-ଟ୍ରାଫିକ ଚାଲାଣ ଉପରେ ସୁବିଧା ପାଇପାରିବେ । ଓଡିଶା ଜୁଡିସିଆଲ ଏକାଡେମୀ ପରିସରରେ ଭର୍ଚୁଆଲ ମୋଡରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଲିତ ଏହାକୁ ଆଜି ଉଦଘାଟିତ କରିଛନ୍ତି । ଏହି ଅବସରରେ ସୁପପ୍ରିମକୋର୍ଟର ବିଚାରପତି ଡ. ଡିୱାଇ ଚନ୍ଦ୍ରଚୁଡ, ବିଚାରପତି ଏମ ଆର ସାହା, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର, ବିଚାରପତି ଏସ ତାଳପତ୍ର ପ୍ରମୁଖ ଉପସ୍ଥିତ ରହି ପେପରଲେସ୍ କୋର୍ଟର ସହଜ ସୁବିଧା ଉପରେ ଭର୍ଚୁଆଲ ମୋଡ ମାଧ୍ୟମରେ ସୂଚନା ଦେଇଥିଲେ । ମୁଖ୍ୟତଃ ଓଡିଶା ହାଇକୋର୍ଟର ୫୦ତମ ପୂର୍ତ୍ତି ଅବସରରେ ଏହି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଥିବା ବେଳେ ହାଇକୋର୍ଟର ସ୍ୱତନ୍ତ୍ର ପୋଷ୍ଟାଲ କଭର ଓ କ୍ୟାନ୍ସଲେସନ କ୍ୟାଚେଟ ଓ ୬ଟି ପିକଚର ପୋଷ୍ଟ କାର୍ଡ ଲୋକାର୍ପିତ ହୋଇଥିଲା । ହାଇକୋର୍ଟର ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ସମେତ କେନ୍ଦ୍ର ସରକାରଙ୍କ ସହକାରୀ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ, ବାର ଆସୋସିଏସନର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ସୁପ୍ରିମକୋର୍ଟଙ୍କ ଇ-କମିଟି ମାର୍ଗଦର୍ଶନକୁ ବେଶ ପ୍ରଶଂସା କରିଥିଲେ ।
