ସିପିଆଇ ଜିଲ୍ଲା କମିଟି ବୈଠକ
କଟକ : ସି.ପି.ଆଇ.(ଏମସ) କଟକ ଜିଲ୍ଲା କମିଟି ବୈଠକ କଟକ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ବିଷ୍ଣୁ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହିସଭାରେ ଅସହ୍ୟ ଦରବୃଦ୍ଧି ଓ ବେକାରୀ ବିରୋଧରେ ବ୍ୟାପକ ସଭା, ସମିତି ଓ ପ୍ରଚାର ଅଭିଯାନ ପାଇଁ ନିଷ୍ପତି ନିଆଯାଇଛି । ରାଜ୍ୟ-କେନ୍ଦ୍ର ତରଫରୁ ବରିଷ୍ଠ ନେତା ଜନାର୍ଦ୍ଦନ ପତି ଓ ପୁଷ୍ପା ଦାସ ଏହି ବୈଠକରେ ଯୋଗ ଦେଇଥିଲେ । ବିଶିଷ୍ଟ ପାର୍ଲାମେଣନ୍ଟାରିଆନ ରୂପଚାନ୍ଦ ପାଲ, ବରିଷ୍ଠ ନେତା ତାର୍କେଶ୍ୱର ଚକ୍ରବର୍ତ୍ତୀ ଓ ଅର୍ଥନୈତିଜ୍ଞ ଅଭିଜିତ ସେନଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହୀତ ହେବା ପରେ ଜିଲ୍ଲା ସଂପାଦକ ବଦ୍ରି ନାରାୟଣ ଦାସଙ୍କର ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା । ଜାତୀୟ ଘଟଣାବଳୀରେ ମୁଖ୍ୟତଃ ବିଲ୍କିଶବାନଙ୍କୁ ଗଣଦୁର୍ଷ୍କମ ଏବଂ ୧୧ ଜଣଙ୍କୁ ହତ୍ୟା କରିଥିବା ଅପରାଧୀମାନଙ୍କୁ ଗୁୁଜୁରାଟ ସରକାର ଯେଭଳି ଭାବରେ ଖଲାସ କଲେ ତାହାକୁ ନିନ୍ଦା କରାଯାଇଥିଲା । ଚୁଡା, ମୁଡିଠାରୁ ଆରମ୍ଭ କରି ଜନଗଣଙ୍କର ଦୈନନ୍ଦିନ ଅତି ଆବଶ୍ୟକ ଖାଦ୍ୟପଦାର୍ଥ ଉପରେ ଶତକଡା ୫ ହାରରେ ଜି.ଏନ.ଟି. ଲାଗୁକରିବା, ରୋଗୀଙ୍କ ଚିକିତ୍ସା ଖର୍ଚ୍ଚରୁ ଜି.ଏସ.ଟି. ଆଦାୟ କରିବା, ବ୍ୟାଙ୍କରୁ ଟଙ୍କା ଉଠାଇଲେ ଜି.ଏସ.ଟି. ନେବା, ରେଳବାଇର ଟିକଟ ବାତିଲ କଲେ ଜି.ଏସ.ଟି. ଆଦାୟ କରିବା ଏବଂ ରେଳବାଇରେ ବରିଷ୍ଠ ନାଗରିକମାନଙ୍କୁ ରିହାତି ନ ଦେବା ଓ ବିଚାର ବିଭାଗୀୟ ସ୍ୱଚ୍ଛତାର ଆବଶ୍ୟକତା ଏବଂ ବିଧାୟକ ଓ ଏମ.ପି.ମାନଙ୍କ କିଣାବିକା ମାଧ୍ୟମରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଧ୍ୱଂସ ମୁଖକୁ ଠେଲି ଦେବାକୁ ଏକଚାଟିଆ ପୁଞ୍ଜିର ନେତୃତ୍ୱରେ ଶାସକବର୍ଗ ଯେଉଁ ଉଦ୍ୟମ କରୁଛନ୍ତି, ସେସବୁକୁ ରୋକାଯିବା ପାଇଁ ବ୍ୟାପକ ଗଣଆନ୍ଦୋଳନର ଆବଶ୍ୟକତା ଉପରେ ସଭାରେ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱରର ରାଜ୍ୟ ସମାବେଶକୁ ସଫଳ କରିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ବରିଷ୍ଠ ନେତା ରବିନାରାୟଣ ମଲ୍ଲିକ, ପ୍ରତାପ ମହାପାତ୍ର, ପିତାମ୍ବର ଲେଙ୍କା, ଅଭୟ ସ୍ୱାଇଁ, ଇଂ ମନମୋହନ ପତି, ମନୋଜ ରାଉତ, ଚନ୍ଦ୍ରକାନ୍ତ ବେହେରା, ଡମ୍ବୁରୁଧର ସାହୁ, ରଶ୍ମିରଂଜନ ତ୍ରିପାଠୀ ଓ ରମେଶ ବେହେରା ପ୍ରମୁଖ ନେତୃମଣ୍ଡଳୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
