ପ୍ରେସ୍ ଛକରୁ ୪୨ମୈାଜାକୁ ଯିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା
କଟକ : କଟକ ସଦର ଅନ୍ତର୍ଗତ ଏହି ରାସ୍ତାଟି କଟକ ସହରକୁ ୪୨ ମୈାଜାର ମୁଖ୍ୟରାସ୍ତା ସହିତ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ଯିବା ଆସିବା ଏବେ କଷ୍ଟକର ହୋଇପଡୁଛି । ୪୨ ମୈାଜା ସହିତ ଅନ୍ୟାନ୍ୟ ଅଂଚଳର ଲୋକମାନେ ବ୍ୟବସାୟ, ବାଣିଜ୍ୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରାଥମିକ ଶିିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀମାନେ ଏହି ପଥ ଦେଇ ଯାତାୟତ କରିଥାନ୍ତି । ତେବେ ସଂପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ସଂପୂର୍ଣ୍ଣ ଅସୁରକ୍ଷିତ ଓ ଅଗମ୍ୟ ହୋଇପଡିଛି । ବିଶେଷକରି କଟକ ସହରରେ ଅବସ୍ଥିତ ବଡ ମେଡିକାଲକୁ ଆସିବା ପାଇଁ ଏହି ରାସ୍ତାକୁ ୪୨ ମୈାଜା ଅନ୍ତର୍ଗତ ଅନେକ ଗ୍ରାମର ଲୋକେ ନିର୍ଭର କରିଥାନ୍ତି । ତେବେ ରାସ୍ତାଟିର ଅବସ୍ଥା ଏପରି ହୋଇଛି କେତେବେଳେ ଯେ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ ଖାବରା ହେବେ ତାହା କହିହେବ ନାହିଁ । ଏଠାରେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ମଧ୍ୟ ଘଟିବାରେ ଲାଗିଛି । ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆର୍କଷଣ କରାଯିବା ପରେ ମଧ୍ୟ ରାସ୍ତାର ଦୁରାବସ୍ଥା ବଦଳିପାରିନି । ତେଣୁ ଏହି ରାସ୍ତାଟିର ପୁନରୁଦ୍ଧାର କରାଯାଇ ଗମନା ଗମନ ଉପଯୋଗୀ କରାଯାଇପାରିଲେ ଜନସାଧାରଣଙ୍କ ସୁରକ୍ଷା ସହିତ ବେପାର ବଣିଜ କରିବାକୁ ଯାଉଥିବା ବ୍ୟବସାୟୀମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମତ ଦେବା ସହ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି କରିଛନ୍ତି ।
