ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, କାମୁଡ଼ାରେ ଧୀବର ଆହତ
ଭଦ୍ରକ : ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର । ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ | ଆହତ ଯୁବକ ହେଉଛନ୍ତି ଗଗନ ଦାସ (୬୨) । ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ ଓ ଅନ୍ୟ କେତେଜଣ ମାଛଧରାଳି ଗେଙ୍ଗୁଟୀର ଶାଖାନଦୀକୁ ମାଛ ଧରିବାକୁ ଯାଇଥିଲେ । ସେମାନେ ମାଛ ଧରୁଥିବା ବେଳେ ଗଗନଙ୍କ ଜାଲରେ କୁମ୍ଭୀରଟି ପଡ଼ିଯାଇଥିଲା । ଗଗନ ଏହା ଜାଣି ନପାରି ଜାଲରୁ ମାଛ ଧରୁଥିବା ବେଳେ କୁମ୍ଭୀରଟି ଗଗନଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ପରେ ଗଗନଙ୍କୁ ଗୁରୁରତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଠାରୁ ତାଙ୍କୁ ଚିକିିିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏସମ୍ପର୍କରେ ବନବିଭାଗକୁ ସୂଚନା ଦିଆଯାଇଥିଲା। ପରେ ଧାମନଗର ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଧୀର କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ କୁଶ ଚରଣ ସିଂଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ରାଜକିଶୋର ନାୟକ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଜାଲରୁ ଉଦ୍ଧାର କରି ବୈତରଣୀ ନଦୀର ଗଭୀର ଜଳରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।
