ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ : ସମସ୍ତ ଜଳ ବିବାଦର ସମାଧାନ ହେବ
ଭୁବନେଶ୍ୱର : ଜନ ଆଶୀର୍ବାଦ ଯାତ୍ରା ଲାଗି ଆଜି ୬ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ନୃତ୍ୟ ବାଦ୍ୟ ସହ ଟୁଡୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।ପରେ ପ୍ରଥମେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିଛନ୍ତି। ତାପରେ ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବେ । ପୁରୀରୁ ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ । ସେହିପରି ସେପ୍ଟେମ୍ବର ୮ ରୁ ୧୧ ପର୍ଯ୍ୟନ୍ତ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳକୁ ଯାଇ ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଖୁବ୍ ଶୀଘ୍ର ଓଡ଼ିଶାର ସମସ୍ତ ଜଳ ବିବାଦର ସମାଧାନ ହେବ। ସେହିପରି ଟ୍ରିବ୍ୟୁନାଲରେ ଥିବା ସମସ୍ତ ମାମଲାକୁ ଅନୁଧ୍ୟାନ କରାଯାଉଛି । ଆଶା କରାଯାଉଛି, ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ନଦୀର ଜଳ ବିବାଦର ସମାଧାନ ହୋଇଯିବ। ଆଦିବାସୀ ବିଭାଗ ପାଇଁ ଅନେକ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ଅର୍ଥ ପଠାଉଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କର ଦାୟିତ୍ୱ ବୋଲି ବି ସେ କହିଛନ୍ତି। ସୂଚନା ଯେ, ମୋଦିଙ୍କ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ଦ୍ବିତୀୟ ପାଳିରେ ବିଶ୍ୱେଶ୍ୱର ଟୁଡୁ ସ୍ଥାନ ପାଇଛନ୍ତି। ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପ୍ରସାରିତ ନୂତନ ମନ୍ତ୍ରୀ ମଣ୍ଡଳରେ ଓଡିଶାରୁ ୩ ମନ୍ତ୍ରୀ ପଦ ପାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟରେ ଓଡିଶା ଗସ୍ତ କରିସାରିଛନ୍ତି । ଅଶ୍ୱିନୀ ବୈଷ୍ଣବ ନୂତନ ମନ୍ତ୍ରୀ ଭାବେ ଜନ ଆଶୀର୍ବାଦ ଯାତ୍ରା କରିସାରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ଟୁଡୁ ମୟୁରଭଞ୍ଜ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରା କରିବେ ।


