ଆଫଗାନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆଫଗାନିସ୍ତାନରେ ତାଲିବାନ ପ୍ରସଙ୍ଗକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାକୁ ଥିବା ବେଳେ ଭାରତ ପ୍ରତି ଆଭିମୁଖ୍ୟ କଣ ରହିବ ସେ ନେଇ ସସ୍ପେନ୍ସ ଲାଗିରହିଛି । କାରଣ ତାଲିବାନ ସମର୍ଥନରେ ଖୋଲାଖୋଲି ଭାବେ ବାହାରିପଡିଛି ପାକିସ୍ତାନ । ତେଣୁ ତାଲିବାନକୁ ଢାଲ କରି ଭାରତ ଉପରେ ମଧ୍ୟ ବିପଦ ସୃଷ୍ଟି କରିପାରେ ପାକିସ୍ତାନ । ଅନ୍ୟପଟେ ଭାରତ ପ୍ରତି ସକାରାତ୍ମକ ଭାବ ରଖିବାକୁ କହିସାରିଛି ତାଲିବାନ । ଏ ତମାମ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଥିବା ଜଣାପଡିଛି ।
ଆଜି ତାଲିବାନ ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିଥିବା ଘୋଷଣା କରିଥିଲା। ଏଥିସହ ପଞ୍ଜଶିର ଗଭର୍ଣ୍ଣର ହାଉସ ବାହାରେ ମଧ୍ୟ ତାଲିବାନ ବିଜୟ ପତାକା ଉଡ଼ାଇଥିଲା। ତେବେ ପଞ୍ଜଶିରରେ ସକ୍ରିୟ ଥିବା ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ତାଲିବାର ଏହି ଦାବିକ ଖଣ୍ଡନ କରିଛି। ଏଥିସହ ବିଭିନ୍ନ ସ୍ଥାନରେ ଲଢ଼େଇ ଜାରି ରହିଥିବା କହିଛି। ପଞ୍ଜଶିରକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଆଜି ମୋଦି ଜରୁରୀ ବୈଠକ ନିଜ ବାସଭବନରେ କରିଛନ୍ତି। ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ସେକଥା ଜଣାପଡ଼ିନି। କିନ୍ତୁ ଏବେ ବି ଆଫଗାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ତା’ ଉପରେ କଥାବାର୍ତ୍ତା ହୋଇଛି। ଏଥିସହ ତାଲିବାନ ସହ ପାକିସ୍ତାନ ହାତ ମିଶାଇ ପଞ୍ଜଶିର ଉପରେ ହମଲା କରିଥିବା ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ଏବେ ତାଲିବାନ ସହାୟତାରେ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତେଣୁ ଆଜିର ବୈଠରେ ମୋଦି ଏନଏସଏ ଡୋଭାଲଙ୍କ ସହ ଉକ୍ତ ବିଷୟରେ କଥା ହୋଇଥିବା କୁହାଯାଇଛି। ସୂଚନା ଯେ, ଏହାପୂର୍ବରୁ ମୋଦି ଆଫଗାନରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ।
