ଅନିଲ ଦେଶମୁଖଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କଲା ଇଡି
ମୁମ୍ୱାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି । ପୁନରୁଦ୍ଧାର ମାମଲାରେ ଅନିଲ ଦେଶମୁଖଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ବର୍ତ୍ତମାନ ଅନିଲ ଦେଶମୁଖ ଦେଶ ଛାଡି ପାରିବେ ନାହିଁ । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଭାବରେ ଦେଶମୁଖ ୧୦୦ କୋଟିରୁ ଅଧିକ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।
୧୦୦କୋଟି ଦୁର୍ନୀତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ‘ଲୁକଆଉଟ ନୋଟିସ ଜାରି କରିଛି । ଏହାପୂର୍ବରୁ କେତେକ ସମନକୁ ‘ଦ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର’ (ଏନସିପି) ନେତା ଦେଶମୁଖ ଏହାକୁ ଏଡ଼ାଇ ଦେଇଥିଲେ । ତେବେ ଦେଶମୁଖ କାଳେ ଦେଶଛାଡ଼ି ଚାଲିଯିବେ ସେଥିପାଇଁ ଏହି ସର୍କୁଲାର ନୋଟିସ ଜାରି କରାଯାଇଛି । ଦେଶମୁଖଙ୍କ ବିରୋଧରେ ଉତଥାପିତ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ‘ଏଜେନ୍ସି’କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଦେଶମୁଖଙ୍କ ଲିଗାଲ ଟିମ୍’ର ଅନ୍ୟତମ ସଦସ୍ୟ ଆନନ୍ଦ ଡାଗାଙ୍କୁ ଗୋଟିଏ ଦିନ ପଚରାଉଚୁରା କରିବା ପରେ ୩ ତାରିଖରେ ସିବିଆଇ ଗିରଫ କରିଥିଲା । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ହିଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେବେ ବୋଲି ଦେଶମୁଖ ପୂର୍ବରୁ କହିଥିଲେ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ତାଙ୍କର ଆବେଦନ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାହିଁଲେ ଇଲେକ୍ଟ୍ରୋନିକ ମାଧ୍ୟମରେ ତାଙ୍କର ବୟାନ ରେକର୍ଡ କରିପାରିବେ ।
