ରାସନ କାର୍ଡ଼ରେ ନାମ ସଂଯୋଗ ସହ ସ୍ଥାୟ ଯୋଗାଣ ନିରୀକ୍ଷକ ନିଯୁକ୍ତି ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସ୍ଥାୟୀ ଯୋଗାଣ ନିରୀକ୍ଷକ ନିଯୁକ୍ତି କରାଯିବା ସହ ରାଶନ କାର୍ଡ଼ରେ ନୂତନ ହିତାଧିକାରୀଙ୍କ ନାମ ସଂଯୋଗ କରିବାକୁ ଦାବି କରାଯାଇଛି । ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଠାରୁ ବ୍ଳକ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ କରାଯିବ ବୋଲି ତ୍ରିଲୋଚନ ଗୌତମ, ଗିରିଜାନନ୍ଦନ ପୋଥାଳ, ରଂଜିତ୍ ଓଝା, ରବିନ୍ଦ୍ର ଓଝା, କାଞ୍ଚନ ପୋଥାଳ, ଆଲୋକ ବେହେରା, ରବିନ୍ଦ୍ର ଦାସ, ସୁବର୍ଣ୍ଣ ଓଝା, ଚକ୍ରଧର ମହାଳିକ, କୃଷ୍ଣଚନ୍ଦ୍ର ଭୂୟାଁ, ରଶ୍ମିତା ପତି, ପାର୍ବତୀ ମହାଳିକ, ଶଙ୍କର୍ଷଣ ମହାଳିକ, ଇତିଶ୍ରୀ ନାୟକ, ରାଧାରଣା ନାୟକ, ରାଜେଶ୍ୱରୀ ନାୟକ, ଅବଳା ମହାଳିକ ପ୍ରମୁଖ ବ୍ଲକର ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି । ଏ ନେଇ ସେମାନେ ଜିଲାପାଳ, ବିଡିଓ, ଜିଲା ଯୋଗାଣ ଅଧିକାରୀ, ତିହିଡ଼ି ତହସିଲଦାରଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗରୁ ପ୍ରକାଶ ଯେ, ହିତାଧିକାରୀମାନେ ନିଜର ନାମ ସଂଯୋଗ କରିବା ପାଇଁ ଦୀର୍ଘ ୮ମାସ ହେବ ଆବେଦନ କରିଥିଲେ ମଧ୍ୟ ଏଯାଏ ରାଶନ କାର୍ଡ଼ରେ ନାମ ସଂଯୋଗ ହୋଇପାରୁନାହିଁ । ଏନେଇ ସେମାନେ ବାରମ୍ବାର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ସ୍ଥାୟୀ ଯୋଗାଣ ଅଧିକାରୀ ନିଯୁକ୍ତ ପାଇ ନଥିବାରୁ ସେମାନଙ୍କୁ ନିରାଶ ହେବାକୁପଡ଼ୁଛି । ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନ୍ୟ ଯେଉଁ କର୍ମଚାରୀମାନେ ଅଛନ୍ତି ସେମାନେ ହିତାଧିକାରୀମାନଙ୍କୁ ବ୍ୟବହର ଠିକ୍ କରୁନଥିବା ଅଭିଯୋଗରେ ଦର୍ଶାଯାଇଛି । ତେଣୁ ତୁରନ୍ତ ସ୍ଥାୟୀ ଯୋଗାଣ ଅଧିକାରୀ ନିଯୁକ୍ତି ସହ ବିଭିନ୍ନ ପଞ୍ଚାୟତରେ ସ୍ୱତନ୍ତ୍ର କ୍ୟାମ୍ପ କରି ନୂତନ ହିତାଧିକାରୀଙ୍କ ନାମ ସଂଯୋଗ କରିବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଟାର୍ଗେଟ ନଥିବାରୁ ନୂତନ ହିତାଧିକାରୀଙ୍କ ନାମ ସଂଯୋଗ କରାଯାଇ ପାରୁନାହିଁ । ଟାର୍ଗେଟ ଆସିଲେ ହିତାଧିକାରୀଙ୍କ ନାମ ସଂଯୋଗ କରାଯିବ ।
