ଗାଡି ଚେକିଂ ବେଳେ ଗୋରୁ ମାଫିଆଙ୍କ ଆକ୍ରମଣ, ୩ ପୋଲିସ କର୍ମଚାରୀ ଆହତ
ଆଠଗଡ଼ : ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ । ଆଠଗଡ଼ ଗୋପୀନାଥପୁର ଶାସନ ଛକରେ ଗାଡି ଚେକିଂ ବେଳେ ତିଗିରିଆ ପୋଲିସକୁ ଅତର୍କିତ ଆକ୍ରମଣ । ଏଥିରେ ୩ ପୋଲିସ କର୍ମଚାରୀ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ସୂଚନା ଯେ, ଶୁକ୍ରବାର ବିଳମ୍ବିତ ରାତିରେ ତିଗିରିଆ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର ଆସୁଥିଲା । ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରୁଥିଲା । ହେଲେ ଗାଡି ଅଟକିବା ବଦଳରେ ଗୋରୁ ମାଫିଆମାନେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା, ଏସ୍ଆଇ ସନ୍ତୋଷ ପ୍ରଧାନଙ୍କ ସହ ଲକ୍ଷ୍ମୀଧର ବେହେରା ଆହତ ହୋଇଛନ୍ତି । ତେବେ ଆକ୍ରମଣ ପରେ ଗୋରୁ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ସେପଟେ ଆହତ ହୋଇଥିବା ପୋଲିସ ଅଧିକାରୀମାନଙ୍କୁ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
