ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ
କଟକ : ଆଦାନି ଗ୍ରୁପର ଜାଲିଆତି ଓ ପ୍ରଧାନମନ୍ତ୍ରୀଙ୍କ ଅବିଶ୍ୱସନିୟତା ପ୍ରତିବାଦରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଂଜନ ଚୈାଧୁରୀଙ୍କ ନେତୃତ୍ୱରେ ଲିଙ୍କରୋଡସ୍ଥିତ ଏଲଆଇସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟରୁ ଆଜି ଏକ ବିଶାଳ ଶୋଭାଯାତ୍ରା ବାହାରି ମଧୁପାଟଣା ଛକ ଦେଇ ଲିଙ୍କରୋଡ ଏଲଆଇସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ସଭାପତି ଶ୍ରୀ ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭାରେ ଆଦାନୀ-ମୋଦି ମଧୁଚନ୍ଦ୍ରିକାରେ ନିରୀହ ଜମାକାରୀ ଲୁଣ୍ଠିତ । ଆଦାନୀ ଗ୍ରୁପ ପରି ଏକ ଶଠ କମ୍ପାନୀକୁ ପ୍ରଧାନମନ୍ତ୍ରୀ ଏଲଆଇସି, ଷ୍ଟେଟ ବ୍ୟାଙ୍କ ଏବଂ ଅନ୍ୟ ଅର୍ଥ ଲଗାଣକାରୀ ସଂସ୍ଥା ଉପରେ ଚାପ ପକାଇ ବିପୁଳ ପରିମାଣର ଅର୍ଥ ବିନିଯୋଗ ଓ ଋଣର ବ୍ୟବସ୍ଥା କରିଥିଲେ । ଏବେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟରେ ଆଦାନୀ ଗ୍ରୁପର ଜାଲିଆତି ପଦାରେ ପଡିଯାଇଛି ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀ ଗ୍ରୁପକୁ ଅହେତୁକ ଅନୁକମ୍ପା କରିବାକୁ ଯାଇ ରେଳବାଇ, ପୋର୍ଟ, ଏୟାରପୋର୍ଟ ଏବଂ ବହୁରାଷ୍ଟ୍ରୀୟ ସମ୍ପତି ଟେକି ଦେଇଛନ୍ତି । ଆଦାନୀ ଗ୍ରୁପର ଜାଲିଆତି ବିରୋଧରେ ମାନ୍ୟବର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କିମ୍ବା ଯୁଗ୍ମ ସଂସଦୀୟ କମିଟିର ତଦନ୍ତ ଦାବି କରାଯିବା ସହ ଜମାକାରୀଙ୍କ ଅର୍ଥର ସୁରକ୍ଷା ପାଇଁ ଦାବି କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ବିଭୁତି ମିଶ୍ର, ଦେବାଶିଷ ପଟ୍ଟନାୟକ, ଅମୀୟ ପାଣ୍ଡବ. ଦେବେନ୍ଦ୍ର ସାହୁ, ପ୍ରକାଶ ମିଶ୍ର, ୟାକୁବ ଖାନ, ରବୀନ୍ଦ୍ର କର, ପ୍ରିୟଜିତ ରାୟ, ମନୋଜ ବିଶ୍ୱାଳ, ଶିଶିର ରଥ, ସାନ୍ତାୟନ ମିଶ୍ର, ଡ. ବିପ୍ଳବ ଶିଳାଦିତ୍ୟ, ରାଜଶିଖନ ସ୍ୱାଇଁ, ଦୀପକ ମହାନ୍ତି, ଉଗ୍ରସେନ ଭୁୟାଁ, ସୈାମ୍ୟରଂଜନ ପ୍ରଧାନ, ମିହିର ଦାସ, ପ୍ରମୋଦ ଖୁଣ୍ଟିଆଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ ।
