ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଜାରି
କଟକ : ସିଏମସି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଆଜି ପୁରୀଘାଟ ଥାନା ଅନ୍ତର୍ଗତ ସନସାଇନ ପଡିଆ ଓ ତେଲେଙ୍ଗାବଜାର ସାହିରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସିଏମସି ଡେପୁଟି କମିଶନର ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ କର୍ମଚାରୀମାନେ ପୁରୀଘାଟ ପୋଲିସର ସହାୟତାରେ ଉକ୍ତ ଅଂଚଳରେ ବେଆଇନ ଭାବେ ରାସ୍ତା ଉପରେ ବାଲି ଗୋଡି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କୁ ତୁରନ୍ତ ଘରତିଆରି ସାମଗ୍ରୀ ଉଠାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସେଠାରେ ପୁନର୍ବାର ବ୍ୟବସାୟ ନ କରିବାକୁ ତାଗିଦ କରିଥିଲେ । ସେହିଭଳି ତେଲେଙ୍ଗା ବଜାର ସାହିର ଜଣେ ବ୍ୟକ୍ତିଙ୍କ ଘରର ପାହାଚ ରାସ୍ତା ଉପରକୁ ମାଡିଆସିଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲା । ଉକ୍ତ ଘରର ୨ଟି ପାହାଚକୁ ମଧ୍ୟ ଭଙ୍ଗା ଯାଇଥିଲା । ପ୍ରକାଶ ଥାଉକି, ସିଏମସି ପକ୍ଷରୁ ଏକ ବିଧିବଦ୍ଧ ଯୋଜନା କରାଯାଇ ଫେବୃଆରୀ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପୁରୀଘାଟ ଅଂଚଳରେ ଉଚ୍ଛେଦ କାର୍ଯ୍ୟ କରିଥିଲା । ଡେପୁଟି କମିଶନର ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏହି ଜବର ଦଖଲ ଉଚ୍ଛେଦ ଜାରି ରହିଥିଲାବେଳେ ପୁରୀଘାଟ ଥାନା ଅଧିକାରୀ, ସିଏମସିର ଏନଫୋର୍ସମେଣ୍ଟ ଇନ୍ଚାର୍ଜ ପଂଚାନନ ପାଲ, ସ୍କ୍ୱାଡର ପ୍ରଫୁଲ୍ଲ କୁମାର ମଙ୍ଗଲ ଓ କଟକ ଡିଷ୍ଟ୍ରିକ୍ଟ ଏନଫୋର୍ସମେଣ୍ଟ ଫୋର୍ସର ୩୦ ଜଣ ସଦସ୍ୟ ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
