ଭଦ୍ରକ-ଚାନ୍ଦବାଲି ରାସ୍ତା ର ପୋଲ ଉପର ଅଂଶ ମରଣଜନ୍ତା ତୁରନ୍ତ ମରାମତି ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
ତିହିଡ଼ି : ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଥିବା ପୋଲ ଉପରେ ରାସ୍ତା କିଛି ସ୍ଥାନରେ ଦବି ଯାଇଥିବା ବେଳେ ବହୁ ସ୍ଥାନରେ ପିଚ ଉଠିଯାଇ ମରଣଜନ୍ତା ପାଲଟିଛି । ଏହି ସବୁ ପୋଲ ଉପର ରାସ୍ତାରେ ଉଭୟ ଚାରିଚକିଆ ଓ ଦୁଇ ଚକିଆ ଗାଡ଼ି ଯାତାୟତ କଲାବେ ଜୋର୍ ରେ ପିଟି ହେଉଛି । ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ହାନି ଘଟୁଛି । ଏହି ରାସ୍ତାର ତିହିଡି ଥନା ସାମ୍ନା, ଫତେପୁର, କୋହ୍ଲ, କମାରିଆ, ସନ୍ଥପୁରା, ବିନ୍ଧା ଛକ, ପୀରହାଟ ହାଇସ୍କୁଲ ନିକଟ, ନାଲ ଗୁଣ୍ଡା ଘୋଷରା ସମେତ ବହୁ ସ୍ଥାନରେ ରାସ୍ତା ବିପଦସଂକୁଳ ହୋଇ ପଡ଼ିଛି । ତୁରନ୍ତ ଏହାର ମରାମତି କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ବ୍ଲକ କଂଗ୍ରେସ ସଭାପତି ସରୋଜ ଦାସ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ରାସ୍ତାର ମରାମତି କରିବା ନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେବାର ଦୁଇମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହା ଫଳରେ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ସହ ଧନଜୀବନ ହାନି ହେଉଥିବାରୁ ଜନଅସନ୍ତୋଷ ଦେଖା ଦେଇଛି ।
