କାଁପଡ଼ାବିନ୍ଧା ଗ୍ରାମର ୩୦୦ ଏକରରୁ ଉର୍ଦ୍ଧ୍ୱ ମୁଗବିଲରେ ପାଣି ଶହଶହ ଚାଷୀ ହତାଶ, କ୍ଷତିପୂରଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡ଼ା ପଞ୍ଚାୟତ ଅଧୀନ କାଁପଡ଼ା ବିନ୍ଧା ଗ୍ରାମର ୩୦୦ଏକରରୁ ଉର୍ଦ୍ଧ୍ୱ ମୁଗ ଚାଷ ହୋଇଥିବା ଜମିରେ ପାଣି ପଶି ଯାଇଛି । ଯାହାଫଳରେ ମୁଗଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଛି । ଗ୍ରାମର ଶହଶହ ଚାଷୀ ମୁଣ୍ଡରେ ହାତ ଦେଇ ହତାଶ ହୋଇଛନ୍ତି । ମୁଗ ଫସଲ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଶନିବାର ଗ୍ରାମର ୱାର୍ଡ଼ସଭ୍ୟା କୁନ୍ତଳା ମଳିକ, ସୁଚିତ୍ରା ମଳିକ, ଅନ୍ନପୂର୍ଣ୍ଣା ମଳିକ, ପ୍ରତାପ ଚନ୍ଦ୍ର ମଳିକ, ପଦ୍ମନାଭ ମଳିକ, ଶଶିକାନ୍ତ ମଳିକ, ସଂଜୟ ମଲିକ, ରମାକାନ୍ତ ମଳିକ, ରତିକାନ୍ତ ମଳିକ, ଡମ୍ବରୁଧର ଦାସ, କୁଳମଣି ମଳିକ, ଶାନ୍ତିଲତା ଦାସ, ରମାକାନ୍ତ ମଳିକ, ନିର୍ମଳ ଚନ୍ଦ୍ର ମଳିକ, ନିରାକାର ମଳିକ, କାଳନ୍ଦୀ ମଳିକ, ସୁରେଶ କୁମାର ମଳିକ, ମଂଜୁଲତା ଦାସ ପ୍ରମୁଖଙ୍କ ସହିତ ଶତାଧିକ ଚାଷୀ ଜିଲାପାଳଙ୍କୁ ଭେଟି କ୍ଷତିପୂରଣ ଯୋଗାଇ ଦେବା ନେଇ ଦାବି କରିଛନ୍ତି । ଏଥିସହିତ ସେମାନେ ବ୍ଲକ ଅଧ୍ୟକ୍ଷା, ବ୍ଲକ କୃଷି ଅଧିକାରୀ, ତହସିଲଦାର ପ୍ରମୁଖଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, କାଁପଡ଼ା ପଞ୍ଚାୟତ ଏକ ବନ୍ୟା ପ୍ଳାବିତ ପଞ୍ଚାୟତ ଭାବେ ପରିଗଣିତ ହୋଇଛି । ପ୍ରତିବର୍ଷ ଖରିଫ ଋତୁରେ ବନ୍ୟା ଆସି ଧାନଚାଷ ନଷ୍ଟ ହୋଇଥାଏ । ପରେ ଚାଷୀମାନେ ବିଲରେ ମୁଗ ଫସଲ ସହିତ ଅନ୍ୟାନ୍ୟ ଫସଲ କରି ଜୀବିକା ନିର୍ବାହ କରିଥାନ୍ତି । ଏହି ରବିଫସଲରୁ ଚାଷୀମାନେ ଆମଦାନି କରି ନିଜର ଗୁଜୁରାଣ ମେଣ୍ଟାଇବା ସହିତ ଋଣ ସୁଝିବା ଓ ପରିବାରର ଅତ୍ୟାବଶ୍ୟକ କାର୍ଯ୍ୟ କରିଥାନ୍ତି । କୃଷି ବିଭାଗ ପକ୍ଷରୁ ଯେଉଁ ମୁଗ ବିହନ ଯୋଗାଇ ଦିଆଯାଏ ତାହା ସମସ୍ତ ଜମି ପାଇଁ ନିଅଣ୍ଟ ହୁଏ । ଯାହାଫଳରେ ଚାଷୀମାନେ ନିଜ ଟଙ୍କାରେ ମୁଗ ବିହନ କ୍ରୟ କରି ଚାଷ କରିଥାନ୍ତି । ଏବେ ମୁଗ ଚାଷ ଜମିରେ ଦଶମୌଜା ଓ ଗୋପାଳିଆ କେନାଲର ପାଣି ମାଡ଼ି ଯାଇଥିବାରୁ ମୁଗ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ରବିବାର ଖବର ପାଇ କାଁପଡ଼ା ସରପଞ୍ଚ କୁନ୍ତଳା ମଳିକ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ମୁଗ ଚାଷ ଜମି ନିକଟକୁ ଯାଇ ଦେଖିବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।
