୬୦ କ୍ୱିଣ୍ଟାଲ ଭାଙ୍ଗ ସମେତ କଣ୍ଟେନର୍ ଜବତ, ଦୁଇ ଗିରଫ
କଟକ : କଟକ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀମାନେ ଆଜି ଟାଙ୍ଗି ଥାନା ଅନ୍ତର୍ଗତ ଡ୍ରିମସ କଲେଜ ଛକ ନିକଟରେ ଜଗିରହି ବିହାର ବେଗୁସରାଇରୁ ଏକ କଣ୍ଟେନର(ଓଡି-୦୨-ବିଡି-୬୬୭୫)ରେ ଭୁବନେଶ୍ୱରକୁ ଆସୁଥିବା ଲକ୍ଷାଧିକ ଟଙ୍କାର (ନନ୍ ଡ୍ୟୁଟି ପେଡ୍)ଭାଙ୍ଗ ଜବତ କରିବା ସହିତ ଏଥିରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାରର ଅଶୋକ ପାଶୱାନ ଓ ଯୋଗେନ୍ଦ୍ର ପାଶୱାନ । ଏକ ଗୁପ୍ତ ଖବରକୁ ଭିତ୍ତି କରି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଇନ୍ସପେକ୍ଟର ସଂଜିତ ବାର୍ଲା, ଏସଆଇ ଅର୍ପିତା ସାହୁ, ଦୁର୍ଯ୍ୟୋଧନ ଦିଗଲଙ୍କ ସମେତ ଅନ୍ୟ କର୍ମଚାରୀମାନେ ଡ୍ରିମସ କଲେଜ ଛକ ନିକଟରେ ଜଗି ରହିଥିଲେ । କଣ୍ଟେନର୍ଟି ଛକ ଅତିକ୍ରମ କରୁଥିଲା ବେଳେ ବିଭାଗୀୟ ଅଧିକାରୀମାନେ ତାକୁ ଅଟକାଇ ତଲାସୀ ନେବାରେ ସେଥିରୁ ୧୫୦ଟି ବସ୍ତାରେ ଥିବା ୬୦ କ୍ୱିଣ୍ଟାଲ ଭାଙ୍ଗ ମିଳିଥିଲା । ତେବେ ଏହି ଭାଙ୍ଗ ସବୁ ଖୋର୍ଦ୍ଧା ଜିଲ୍ଲା ବାଳକାଟିର ଲାଇସେନ୍ସପ୍ରାପ୍ତ ବିକ୍ରେତା ବର୍ମା ମହାନ୍ତିଙ୍କ ନିକଟକୁ ଯାଉଥିବାର ଜଣାପଡିଛି । ଜବତ ଭାଙ୍ଗର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢଉରେ ରଂଜନ କୁମାର ଭୋଇ, ନିର୍ମଳ କୁମାର ବେହେରା, ଗଜାନନ ବେହେରା, ସୋନାଲୀ ନାୟକ ପ୍ରମୁଖ ସାମିଲ ଥିଲେ । ଆଜି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
