୪ର୍ଥ ଓଡିଶା ରାଜଧାନୀ ପୁସ୍ତକ ମହୋତ୍ସ କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ କବିଙ୍କ କବିତା ସାମାଜିକ ସଂସ୍କାର ବିଚାରଧାରାର ପ୍ରତିଫଳନ
ଭୁବନେଶ୍ୱର : ଭାବନା, କଳ୍ପନା ଓ ସାଧନାରୁ ସାହିତ୍ୟର ସୃଷ୍ଟି । କବିର ଅନ୍ତର୍ଚକ୍ଷୁ ବିଶ୍ୱ ବ୍ରହ୍ଣାଣ୍ଡକୁ, “ଅ” ଅକ୍ଷରରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ । ମନୁଷ୍ୟ ମୁକ୍ତ ଭାବରେ ଜନ୍ମ ହୋଇ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ବନ୍ଧନ ହୋଇ ରହିଛି । କିନ୍ତୁ ପରିବର୍ତ୍ତନର ଧାରାରେ କବି ଓ ସାହିତ୍ୟିକମାନେ ଅବ୍ୟକ୍ତକୁ ବ୍ୟକ୍ତ କରିପାରନ୍ତି । ସାମାଜିକ ପରିବର୍ତ୍ତନ ଓ ସଂସ୍କାର ବିଚାରଧାରାକୁ ଆଗକୁ ନେବାରେ କବି ଓ ସାହିତ୍ୟିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ୪ର୍ଥ ଓଡିଶା ରାଜଧାନୀ ପୁସ୍ତକ ମହୋତ୍ସବରଆଜି ୩ୟ ଦିନ ଅପରାହ୍ନରେ“ଅପୂର୍ବା” ପ୍ରକାଶନ ତରଫରୁ ଆୟୋଜିତପ୍ରତିଷ୍ଠିତ କବି ଶ୍ରୀ ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ“ପ୍ରତିଫଳନ” ର ଶୁଭ ଉନ୍ମୋଚନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି । କବି ଶ୍ରୀ ମିଶ୍ରଙ୍କ ଦ୍ୱାରା ଲିଖିତ ଉନ୍ମୋଚିତ କବିତା ପୁସ୍ତକ ସକରାତ୍ମକ ପରିବର୍ତ୍ତନଓ ସାମାଜିକ ସଂସ୍କାରଦିଗରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କବିତାରେ ରହିଥିବା ବାର୍ତ୍ତା ଆଗାମୀ ପିଢିକୁ ନୂତନ ଦିଗଦର୍ଶନ ଦେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରି ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହୃଷିକେଶ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ସଂପର୍କରେ ସମୀକ୍ଷା କରି ଉଗ୍ର ଆଧୁନିକ ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷା ପାଇଁ କବି ଶ୍ରୀ ମିଶ୍ରଙ୍କ କବିତାକୃତିରେ କବିଙ୍କ ଜୀବନର ଜଟିଳ ଅନୁଭୂତି , ଶବ୍ଦ ଓ ସାହିତ୍ୟରେ ରୂପାୟିତ ହେବା ସଙ୍ଗେ ସଙ୍ଗେ ପ୍ରତିଟି ଶବ୍ଦରେ ଜାଜୁଲ୍ୟମାନ ବାର୍ତ୍ତା ଲୁଚିକରି ରହିଛି ବୋଲି ପ୍ରକାଶ କରିଥିଲେ ।ପସ୍ତକଟିର ପ୍ରକାଶନ ଅବସରରେ କବି ଶ୍ରୀ ସଂଗ୍ରାମ ମିଶ୍ର ଯୋଗଦେଇ ଦେଶ ବିଦେଶର ବହୁ ସୁନାମଧନ୍ୟ କବିଙ୍କର ଉଦାହରଣ ଦେବା ସହିତକବିଙ୍କର ରଚନାରେ କବିତା ପ୍ରାଣବନ୍ତ ହେବା ଓ ସମାଜକୁ ପରିବର୍ତ୍ତନ କରିବାର ବାର୍ତ୍ତା ଦେଉଥିବା ଆବଶ୍ୟକ ବୋଲି କହିଥିଲେ । ତାଙ୍କର କବିତା ସମାଜଧର୍ମୀ ଓ ମାନବଧର୍ମୀ କବିତା ଦୃଷ୍ଟିକୋଣ ଓ ଚିନ୍ତାଧାରାରେ ସମନ୍ୱିତ ବୋଲି ପ୍ରକାଶ କରିବା ସହିତ ଜନାଦୃତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । “ଅପୂର୍ବା” ପ୍ରକାଶନୀ,ଭୁବନେଶ୍ୱର ତରଫରୁ ଏହି କବିତା ପୁସ୍ତକ “ପ୍ରତିଫଳନ” ପ୍ରକାଶିତ ହୋଇଥିବା ବେଳେ ଏହାର ପ୍ରକାଶକ ତଥା ଉତ୍କଳ ପବ୍ଲିଶର୍ସ ଏବଂ ପୁସ୍ତକ ବିକ୍ରେତା ସଂଘର ସଭାପତି ଶ୍ରୀ କ୍ଷୀରୋଦ ଚନ୍ଦ୍ର ପତି ଯୋଗଦେଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସଭା ସଂଚାଳନ କରିବା ସଙ୍ଗେ ସଙ୍ଗେ ପୁସ୍ତକଟିର ପାଠକୀୟ ଆଦୃତି ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ପରିଶେଷରେ ଅପୂର୍ବା ପ୍ରକାଶନୀ ତରଫରୁ ଶ୍ରୀ ପ୍ରଦୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମସାମୟିକ ବ୍ୟବସ୍ଥାର ପ୍ରତିଫଳନ ତଥା ଅବହେଳିତମାନଙ୍କ ଅବସ୍ଥାର ଚିତ୍ରଣ ଓ ମାନବଧର୍ମୀ କବିତା ମାଧ୍ୟମରେ ସମାଜ ପ୍ରତି ସକରାତ୍ମକ ବାର୍ତ୍ତାରେ ପରିପ୍ଲୁତ କବିତା ପୁସ୍ତକ “ପ୍ରତିଫଳନ” କବି ଶ୍ରୀ ମିଶ୍ରଙ୍କ ଅନବଦ୍ୟ ସୃଷ୍ଟି । କବିଙ୍କ ଏହି ଅନନ୍ୟ ସୃଷ୍ଟିରେ ପ୍ରତିଟି କବିତା ସମାଜ ପ୍ରତି ଏକ ଆଇନା ସଦୃଶ । ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କର ନିଜର ଅନୁଭୂତି ତଥା ଉପଲବଧି ଏହି କବିତା ମାଧ୍ୟମରେ ପ୍ରତିଫଳିତ ହୋଇଛି । ଏକାଧାରରେ ଜଣେ କବି,ଲେଖକ, ଗାୟକ, ବକ୍ତା, ସ୍ତମ୍ଭକାର ତଥା ଗୀତିକାର ଶ୍ରୀ ମିଶ୍ର ବହୁ କବିତା ପୁସ୍ତକ, ଇଂରାଜୀ ପୁସ୍ତକ ରଚନା କରିଥିବା ସହିତ ତାଙ୍କର କବିତା ସଂକଳନ “କାବ୍ୟ ସମଗ୍ର” ମଧ୍ୟ ପୂର୍ବରୁ ପ୍ରକାଶିତ ହୋଇଛି ।
