୪ ପକେଟମାର୍ ଗିରଫ, ୨୨ ହଜାର ୯୦୦ଟଙ୍କା ସହ ୩ ମୋବାଇଲ ଫୋନ ଜବତ
କଟକ : ମର୍କତନଗର ଥାନା ପୋଲିସ ୪ ଜଣ ପକେଟମାରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୨ ହଜାର ୯୦୦ ଟଙ୍କା ଏବଂ ୩ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୟିଦପୁରର ମୂଳବାସିନ୍ଦା ତଥା ଚଣ୍ଡିଖୋଲରେ ରହୁଥିବା ସେକ ରାଜା ଓରଫ ସେକ ରିୟାଜଉଦ୍ଦିନ(୩୭), ସୟିଦପୁରର ସେକ କାମରାନ(୫୨), ପଶ୍ଚିମବଙ୍ଗ ଡାଇମଣ୍ଡ ହାଓଡା ଜିଲ୍ଲା ଉସ୍ତି ଥାନା ଅନ୍ତର୍ଗତ ଅଜିତାନଗରର ସଦାମ ମୀର(୩୦) ଓ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଗୟଳବାଙ୍କର ଚରଣ ସାହୁ(୩୮) । ମିଳିଥିବା ସୂଚନା ମୁତାବକ, ବାରଙ୍ଗ ଥାନା ଅନ୍ତର୍ଗତ ବେଲଗାଛିଆର ସନାତନ ବେହେରା ଗତ ନଭେମ୍ବର ମାସ ୩ ତାରିଖ ଦିନ ୧୨ଟା ୪୫ ମିନିଟ ସମୟରେ ୧୮ ନମ୍ବର ମୋ ବସ୍ରେ ଯାଉଥିବା ବେଳେ ତାଙ୍କର ପକେଟମାର ହୋଇଥିଲା । ସେ ୟୁନିୟନ ବ୍ୟାଙ୍କରୁ ୨୦ ହଜାର ଟଙ୍କା ଉଠାଇଥିଲା ବେଳେ ତାଙ୍କ ପୁତୁରା ଆଶିଷ ରାଉଳ ଏଟିଏମରୁ ଆଉ ୨୫ ହଜାର ଟଙ୍କା ଉଠାଇ ତାଙ୍କୁ ଦେଇଥିଲା । ସବୁ ଟଙ୍କା ସେ ପକେଟରେ ରଖି ତାଙ୍କ ପତ୍ନୀ ଓ ବୋହୂଙ୍କ ସହିତ ମୋ ବସରେ ତ୍ରିଶୂଳିଆରୁ ଆସୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଗାଡି ଭିତରେ ଘେରିଯାଇ କୈାଶଳ କ୍ରମେ ତାଙ୍କ ପକେଟରୁ ଟଙ୍କା ସବୁ ନେଇ ବେଲଭ୍ୟୁ ଛକରେ ଓହ୍ଲାଇ ପଳାଇଥିଲେ । ଏନେଇ ଶ୍ରୀ ବେହେରା ଉକ୍ତ ରାତିରେ ମର୍କତନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜରୁ ଯାଂଚ କରି ଉପରୋକ୍ତ ଅଭୁଯୁକ୍ତମାନଙ୍କ ସଂପୃକ୍ତି ଜାଣିପାରିଥିଲା । ଆଜି ସେମାନଙ୍କୁ ଗିରଫ କରି ପଚରା ଉଚରା ବେଳେ ସେମାନେ ମୋ ବସରେ ଏହିଭଳି ଅନେକ ପକେଟମାର କରିଥିବା ସ୍ୱୀକାର କରିଥିଲେ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
