ଭଦ୍ରକର ଐତିହାସିକ କାଳୀପୂଜାର ୩ୟ ଦିନ! ତୋରଣ, ଆଲୋକମାଳା ଓ ଅପେରା ପାର୍ଟିରେ ଜମୁଛି ଚରମ୍ପା
Kali Puja & Diwali
ଭଦ୍ରକ : ଭଦ୍ରକରେ ଲୋକକଥା ଅଛି ଏହାର ଐତିହାସିକ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ପାଇଁ ଲୋକମାନେ ବର୍ଷକ ପୂର୍ବରୁ ନିଜ ନିଜ ଘରକରଣା ଜିନିଷର ତାଲିକା କରିଥାନ୍ତି । ତେବେ ଚରମ୍ପାର ରେଲୱେ ଷ୍ଟେସନ, ଡଗରା ସାହି, ସ୍କୁଲରୋଡ଼୍, ବିଶାଣୀ ଖରିଦା, ଏରେଇଁ ଓ ରାଜଘାଟରେ ଆଜିକୁ ଦୀର୍ଘ ୭ ଦିନ ଧରି ଆରମ୍ଭ ହୋଇଥିବା କାଳୀପୂଜାର ମାହୌଲ ଏବେ ବେଶ୍ ଜମୁଛି । ଆଜିର ୩ୟ ଦିନରେ ପିଲାଙ୍କ ମିନା ବଜାରର ବିଭିନ୍ନ ଦୋଳି ସହ ଘର କରଣା ସାମଗ୍ରୀରେ ସମସ୍ତ କାଳୀ ମଣ୍ଡପ ସନ୍ନିକଟ ରାସ୍ତାପାଶ୍ୱର୍ ଜନଗହଳିରେ ଫାଟି ପଡ଼ୁଛି । ତେବେ ସମସ୍ତ ମଣ୍ଡପରେ ମା’ କାଳୀଙ୍କ ମେଢ଼ ସହିତ ବିଭିନ୍ନ ରଙ୍ଗଢଙ୍ଗରେ ନିର୍ମିତ ହୋଇଥିବା ତୋରଣ ଏବଂ ଯେଉଁ କେତେକ ପାର୍ଶ୍ୱ ମୂର୍ତ୍ତି ନିର୍ମାଣ ହୋଇଛି ତାହା ଆଜିର ଯୁବପିଢ଼ିଙ୍କ ସମେତ ଆବାଳ ବୃଦ୍ଧ ବନିତାଙ୍କୁ ପୁରାଣ ଯୁଗର ବହୁ ଗାଥାକୁ ମନେ ପକାଇଦେଇଛି ।
ବିଶେଷକରି ସ୍କୁଲରୋଡ଼୍ କମିଟି, ପି.ଡବ୍ଲ୍ୟୁଆଇ, ଲୋକସେଡ୍, ରାଜଘାଟ ଓ ଏରେଇଁର ତୋରଣ ଗୁଡିକ ବେଶ୍ ହୃଦୟଛୁଆଁ ହୋଇଛି । ପାର୍ଶ୍ୱ ମୂର୍ତ୍ତିଗୁଡିକ ମଧ୍ୟରେ ପୌରାଣିକ ଓ ଶିକ୍ଷଣୀୟ ଭିତିକ ସମସ୍ତଙ୍କୁ ଆମ ପୁରାଣ ସଂସ୍କୃତିର ଅମର ଗାଥାକୁ ଉଜ୍ଜୀବିତ କରିଛି । ଏହି ପୂଜା ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ସୀମିତ ରଖାଯାଇଥିଲା । କାଳୀପୂଜା ଅବସରରେ ଚରମ୍ପାରେ ବିଭିନ୍ନ ପ୍ରକାର ମେଳା ସହ ଅପେରା ପାର୍ଟି ଗୁଡିକ ୮ଦିନ ଆଗରୁ ଡେର ପକାଇଛନ୍ତି । ଏହା ଅକ୍ଟୋବର ୨୪ ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ରେ ଶେଷ ହେବ । ପ୍ରଶାସନିକ କଟକଣା ଯୋଗୁଁ ମେଢଗୁଡିକ ରାତିରେ ବିସର୍ଜନ କରିବାର ନିୟମ ରହିଛି । ଭଦ୍ରକ ସହରରେ ଚଳିତବର୍ଷ ୧୪ ଟି ମଣ୍ଡପରେ ମା’ ପୂଜା ପାଉଛନ୍ତି । ଶାନ୍ତି-ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିବାବେଳେ ସିସି କ୍ୟାମେରା ମଧ୍ୟ ଲଗାଯାଇଥିବାର ଜଣାପଡିଛି ।
